ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ରେ ଥିବା ଅଡିଟୋରିୟମରେ ପହଞ୍ଚି ଏହାକୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ସୋଆ ଭିସି ଅମିତ ବାନାର୍ଜୀ ସାମିଲ ହୋଇଥିଲେ । ଭବିଷ୍ୟତର ବୈଜ୍ଞାନିକଙ୍କୁ ଶିଶୁ ବିଜ୍ଞାନ କଂଗ୍ରେସ ଆଗକୁ ନେବ  । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସରକାର ଅନେକ କିଛି କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ସାଇନ୍ସ ପାର୍କ କରାଯାଇଛି । ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦଘାଟନୀ ଦିବସ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୦ରୁ ୧୭ ବର୍ଷର ୮ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୫ ଦିନ ଧରି ଚାଲିବ । ଭାରତ ସମେତ ୫ଟି ମଧ୍ୟପ୍ରାଚ୍ୟ ଓ ୧୦ଟି ଏସିଆନ ରାଷ୍ଟ୍ରର ଶିଶୁ ଏଥିରେ ସାମିଲ ହୋଇଛନ୍ତି । ନ୍ୟାସନାଲ କାଉନସେଲ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଦ୍ୱାରା ଆୟୋଜିତ ହୋଇଥିବା ଏହି ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ରହିଛି- ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ପ୍ରବର୍ତନ। ଛାତ୍ରଛାତ୍ରୀମାନେ ଏହି ବିଷୟବସ୍ତୁକୁ ନେଇ ୮୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶନ କରିବେ । ସାଧାରଣଲୋକଙ୍କ ନିକଟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ପହଂଚାଇବା ସହ ଶିଶୁମାନଙ୍କ ପ୍ରତିଭା ଓ ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ଏହି ଜାତୀୟ ବିଜ୍ଞାନ କଂଗ୍ରେସର ଆୟୋଜନ କରାଯାଇଛି । ୧୯୯୩ରୁ ଆରମ୍ଭ ହୋଇଥିବା ଏହି ଜୀତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓଡିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଛି ।

LEAVE A REPLY

Please enter your comment!
Please enter your name here