କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ତାତିଲେ ପ୍ରଦେଶ ମହିଳା କଂଗ୍ରେସ । ଉକ୍ତ ଘଟଣାରେ ତଳସ୍ତରରୁ କର୍ମଚାରୀମାନଙ୍କୁ ବଦଳି ଓ ନିଲମ୍ବନ କଲେ କେବଳ ଚଳିବ ନାହିଁ ବରଂ ଉକ୍ତ ବିଭାଗର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ନିଜ ବିଭାଗର ଅପାରଗତାକୁ ଘୋଡାଇବା ଆଦୌ ଠିକ୍ ନୁହେଁ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତି ସୁମିତ୍ରା ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମନ୍ତ୍ରୀଦ୍ୱୟ ଓ ବିଭାଗୀୟ ସଚିବଦ୍ୱୟ ମଧ୍ୟ ନିଜର କାର୍ଯ୍ୟରେ ଅବହେଳାକୁ ସ୍ୱିକାର ନକରିବା ଓ ନୈତିକ ଦୃଷ୍ଟିରୁ ଇସ୍ତଫା ନନେବା ଅତ୍ୟନ୍ତ କ୍ଷୋଭର ବିଷୟ । ଏପରିକି ଏଭଳି ଘଟଣା ରାଜ୍ୟରେ ଓ କନ୍ଧମାଳରେ ବାରମ୍ବାର ଘଟୁଥିବାରୁ କନ୍ଧମାଳର ଜିଲ୍ଲାପାଳଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମହାଶୟ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଶ୍ରୀମତୀ ଜେନା ଦାବୀ କରିଛନ୍ତି । ୭୨ ଘଣ୍ଟା ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରୀଦ୍ୱୟଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ନକରନ୍ତି ତେବେ ଆସନ୍ତା ୧୯ରେ ମହିଳା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟବାପୀ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା କହିଛନ୍ତି ।