ଶ୍ରୀମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରେ ପୁରୀରେ ପଦଯାତ୍ରା କରିବାକୁ ଚାହୁଁଥିଲା ବିଜେପି । ହେଲେ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇ ନ ଥିଲା । ପ୍ରଶାସନର ଅନୁମତି ନ ଥିବା ସତ୍ତ୍ବେ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ପୁରୀ ବଡଦାଣ୍ଡରେ ଶହ ଶହ ସମର୍ଥକଙ୍କ ଗହଣରେ ଶ୍ରୀମନ୍ଦିର ଯାଇଥିଲେ । ଅରୁଣସ୍ତମ୍ଭ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ସମର୍ଥକଙ୍କ ଜୟ ଜଗନ୍ନାଥ ଧ୍ବନୀ ଭିତରେ ଅପରାଜିତା ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ତେବେ ଅପରାଜିତା ଚାଲି ଚାଲି ଶ୍ରୀମନ୍ଦିର ଅଭିମୁଖେ ଆସୁଥିବା ଜଣାପଡିବା ପରେ ପ୍ରଶାସନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ସେ କାଳିଆ ଦର୍ଶନ କରିବାକୁ ଯାଉଛନ୍ତି ବୋଲି କହି ଆଗକୁ ବଢିଥିଲେ । ଅପରାଜିତା କହିଛନ୍ତି, ପଦଯାତ୍ରାକୁ ପ୍ରଶାସନ ଅନୁମତି ଦେଇ ନ ଥିଲା । କିନ୍ତୁ ଜଗା ଦର୍ଶନ କରିବାରେ ଅସୁବିଧା କେଉଁଠି ରହିଲା ? ସରକାର ଏତେ ଡରୁଛନ୍ତି କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସରକାର କିଛି ଲୁଚାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ଅପରାଜିତା ବିରୋଧ କରି ସଂସଦରେ ପ୍ରଶ୍ନ ଉଠାଇଥିଲେ । ଏଏସଆଇର ବିନା ଅନୁମତିରେ ଶ୍ରୀମନ୍ଦିର ନିକଟରେ ଖନନ କାର୍ଯ୍ୟ କରିବା ଅର୍ଥ ଶ୍ରୀମନ୍ଦିର ପାଇଁ ବିପଦ ଟାଣି ଆଣିବା ବୋଲି ଦର୍ଶାଇ ବିଜେପି ପକ୍ଷରୁ ସମାଲୋଚନା କରାଯାଉଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଖନନ କାର୍ଯ୍ୟକୁ ବିଭିନ୍ନ ମହଲରେ ବିରୋଧ ହେବା ପରେ ବିବାଦୀୟ ଖୋଳା ସ୍ଥାନକୁ ସରକାର ପୋତିବା ଆରମ୍ଭ କରିଦେଇଥିଲେ । ତେବେ ସରକାରଙ୍କ କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ ବିରୋଧୀ ।

LEAVE A REPLY

Please enter your comment!
Please enter your name here