ଓଡିଶାର କଳା ସଂସ୍କୃତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ ବଢୁଛି ଅଡୁଆ । ଓଡିଶାର ବିଧାୟକମାନଙ୍କୁ ବୋକା ବୋଲି କହି ପୁଣି ବିବାଦକୁ ଆସିଛନ୍ତି ଅଭିଜିତ । ଅଶୋଭନୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ମୌସୁମୀ ଅଧିବେଶନର ଶେଷ ଦିନରେ ଗୃହରେ ଦାବି ଜୋର ଧରିଛି ।
ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ଅଭିଜିତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦିଆଯାଇଛି । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଦଳ ନେତା ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ । ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରସ୍ତାବ ଗ୍ରହଣ କରି ପ୍ରଶ୍ନୋତ୍ତରକୁ ବାତିଲ କରି ଆଲୋଚନା ପାଇଁ ଅନୁମତି ପ୍ରଦାନ କରିଥିଲେ । ପ୍ରଥମେ ଶ୍ରୀ ମିଶ୍ର ମତ ରଖି ଅଭିଜିତ ଆୟାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ତାଙ୍କୁ ସମନ ଜାରି କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଏହା ହେଲେ ଆଗାମୀ ଦିନରେ ଏଭଳି ଦୁଃସାହସ କରିବାକୁ କେହି ପ୍ରୟାସ କରିବେ ନାହିଁ ବୋଲି କହିଥିଲେ । ଏହାପରେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ବିରୋଧୀଦଳ ନେତାଙ୍କ ପ୍ରସ୍ତାବକୁ ସମର୍ଥନ କରି ଅଭିଜିତ ଆୟାରଙ୍କୁ କଡା ନିନ୍ଦା କରିଥିଲେ । ପରେପରେ ପ୍ରଦୀପ ପୁରୋହିତ , ପ୍ରତାପ ଜେନା, କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଅମର ଶତପଥୀ, ସମୀର ଦାଶ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ ପ୍ରମୁଖ ଏଭଳି ଏକ ସଙ୍ଗୀନ ପ୍ରସଙ୍ଗରେ ଆସିଥିବା ପ୍ରସ୍ତାବକୁ ସମର୍ଥନ କରିବା ସହିତ ଆଲୋଚନା ପାଇଁ ଅନୁମତି ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ ।
ତେବେ ସମସ୍ତ ଆଲୋଚନା ପରେ ଅଭିଜିତ ଆୟାରଙ୍କ ବିରୋଧରେ ସମନ ଜାରି କରିବାକୁ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହକୁ ୨୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here