କାଲି ପୋଲିସ ବିଭାଗର ଗୋହି ଖୋଳିଥିଲେ । କେମିତି ନିଶା ମାଫିଆଙ୍କଠୁ ଲାଞ୍ଚ ନେଇ ପୋଲିସ ନିଶା କାରବାରକୁ ବଢାଉଛି, ତାର ଗୁମର ଖୋଲିଥିଲେ । ଅବକାରୀ କମିଶନରଙ୍କୁ ଚିଠି ବି ଲେଖିଥିଲେ । ପୁରୀ ଜିଲ୍ଲା ଅବକାରୀ ଇନସପେକ୍ଟର ସଞ୍ଜୟ ପଣ୍ଡାଙ୍କ ମନ୍ତବ୍ୟ ଗତକାଲି ଉଭୟ ପୋଲିସ ଓ ଅବକାରୀ ବିଭାଗରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ପୁରୀ ଜିଲ୍ଲାରେ ପୋଲିସ ନିଶା ମାଫିଆଙ୍କଠୁ ଲାଞ୍ଚ ନେଉଥିବାରୁ ନିଶା କାରବାର ବଢୁଥିବା କହିଥିଲେ । ଅବକାରୀ ବିଭାଗ ପାଖରେ ଆବଶ୍ୟକ କର୍ମଚାରୀ, ଗାଡି ନ ଥିବା କହିଥିଲେ । କିନ୍ତୁ ପୋଲିସ ବଟି ନେଉଥିବାରୁ ନିଶା କାରବାର ରୋକିବା ସମ୍ଭବ ହେଉନାହିଁ ବୋଲି କହିଥିଲେ । ସଞ୍ଜୟ ଉଭୟ ଅବକାରୀ ଓ ପୋଲିସ ବିଭାଗ ସଂପର୍କରେ ଯେଉଁ ସତ ଓଗାଳିଥିଲେ, ସେଥିରେ ବଡ ବଡ ବାବୁମାନଙ୍କ ମୁଖା ଖୋଲି ଯାଇଥିଲା । ମାତ୍ର ସତ ଓଗାଳିବାର ଚବିଶ ଘଣ୍ଟା ନ ପୁରୁଣୁ 15 ଦିନ ଛୁଟି ଆବେଦନ କରିଛନ୍ତି ସେ । ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିକଟକୁ ଛୁଟି ଦରଖାସ୍ତ ପଠାଇଛନ୍ତି । ନିଜକୁ ଜଣେ ମାନସିକ ରୋଗୀ ଏବଂ ଭୁଲରେ ପାଟିରୁ କଣ ବାହାରି ଯାଇଛି ବୋଲି କହିଛନ୍ତି । ଚିକିତ୍ସା ପାଇଁ ଛୁଟି ମାଗିବା ସହ ଗତକାଲି ଦେଇଥିବା ମନ୍ତବ୍ୟ ପାଇଁ ଭୁଲ୍ ମାଗିଛନ୍ତି । ପୋଲିସର ପ୍ରଶଂସା କରିଛନ୍ତି । କେଉଁଭଳି ପରିସ୍ଥିତିରେ ସଞ୍ଜୟ ନିଜ ମତ ବଦଳାଇଲେ, ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ବାବୁମାନଙ୍କ ମୁଖା ଖୋଲିବା ପରେ ଆଜି ସଞ୍ଜୟ ଓ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିଛନ୍ତି । ତେବେ ସଞ୍ଜୟ ମତ ବଦଳାଇବା ପଛରେ ଜିଲ୍ଲା ପ୍ରଶାସନର ଚାପ ରହିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here