ଆଜି ସାରା ଦେଶରେ ପାଳନ ହେଉଛି କନ୍ୟାରତ୍ନ ଦିବସ । ଜାତୀୟ ସ୍ତରରେ ଝିଅମାନଙ୍କୁ ସମାନତାର ଅଧିକାର ଦେବା ଲାଗି କନ୍ୟାରତ୍ନ ଦିବସ ପାଳନ ହୋଇଆସୁଛି । ମାତ୍ର ବିଭିନ୍ନ କାରଣରୁ ଝିଅଟି ଅବହେଳାର ଶୀକାର ହେଉଛି । ବେଳେ ବେଳେ ଦାରିଦ୍ର‌୍ୟ, ମାତୃତ୍ବକୁ ଅସହାୟ କରିଦେଉଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ମାଳିସାହିରେ । ପିଲାର ଲାଳନପାଳନ କରିବାରେ ଅସହାୟତା ପ୍ରକାଶ କରି ଜନ୍ମଦାତ୍ରୀ ମା ନିଜ କନ୍ୟାରତ୍ନକୁ ଅନ୍ୟ ହାତକୂ ଟେକି ଦେବାକୁ ବାଧ୍ୟ ହୋଇଛି । ମାଳିସାହିର ଅଭାବୀ ମହିଳା ବନିତାଙ୍କର ୩ ଟି କନ୍ୟା ସନ୍ତାନ ଥିଲା ବେଳେ ଗତ ୧୦ ତାରିଖରେ ସେ ଆଉ ଗୋଟେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ଅର୍ଥାଭାବରୁ ତାଙ୍କର ତିନି ସନ୍ତାନଙ୍କର ଲାଳନ ପାଳନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ୱାମି ଦିନମଜୁରୀ ପାଇଁ ବାହାର ରାଜ୍ୟରେ। ଏଭଳି ପରିସ୍ଥିତିରେ ଆଉ ଏକ ନବଜାତ କନ୍ୟାର ଲାଳନପାଳନ କରିବା ଜନ୍ମଦାତ୍ରୀ ବନିତାଙ୍କ ପାଇଁ କଷ୍ଟ ସାଧ୍ୟ ହେବାରୁ ସେ ଖୋର୍ଦ୍ଧାର ଜଣେ ଦମ୍ପତ୍ତିଙ୍କ ହାତକୁ ନିଜ ଶିଶୁକନ୍ୟାକୁ ଟେକି ଦେଇଥିଲେ । ଖବର ପାଇ ଖୋର୍ଦ୍ଧା ସିଡବ୍ଳୁସି ଶିଶୁକନ୍ୟାକୁ କୋଳେଇ ନେଇଥିବା ଦମ୍ପତିଙ୍କ ସହ ବୋଲଗଡ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here