ଯେକୌଣସି ମୁହୂର୍ତ୍ତରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ୟୁକ୍ରେନ ସୀମାନ୍ତରେ ଯୁଦ୍ଧ ପାଇଁ ପୁରା ପ୍ରସ୍ତୁତି କରିଛି ଋଷିଆ । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସୈନ୍ୟବାହିନୀ, ବୋମାବର୍ଷୀ ଯୁଦ୍ଧ ବିମାନ ଠୁଳ କରିସାରିଛି । ଋଷିଆର ଯୁଦ୍ଧ ସଜବାଜ ଦେଖି ୟୁକ୍ରେନ 30 ଦିନ ପାଇଁ ଦେଶରେ ଜରୁରୀ କାଳିନ ପରିସ୍ଥିତି ଜାରି କରିଛି । ୟୁକ୍ରେନ ସୁରକ୍ଷା ପରିଷଦ ଅନୁମୋଦନ ପରେ ଦୁଇଟି ଅଞ୍ଚଳ ଡୋନେସ୍କ ଓ ଲୁହାନ୍ସକକୁ ବାଦ ଦେଇ ସମଗ୍ର ଦେଶରେ ଏମର୍ଜେନ୍ସି ଜାରି କରାଯାଇଛି । ସେହିପରି ଆତ୍ମରକ୍ଷା ପାଇଁ ଅସ୍ତ୍ର ଧରିବାକୁ ସଂସଦ ୟୁକ୍ରେନବାସୀଙ୍କୁ ଅନୁମତି ଦେଇଛି । ଋୁଷିଆରେ ଥିବା ୟୁକ୍ରେନ ନାଗରିକ ତୁରନ୍ତ ଋଷିଆ ଛାଡିବାକୁ ପରାମର୍ଶ ଦିଆଯାଇଛି । ସେହିପରି କୌଣସି ୟୁକ୍ରେନ ନାଗରିକ ଋଷିଆ ଗସ୍ତରେ ନ ଯିବାକୁ କୁହାଯାଇଛି । ଆମେରିକା ସମେତ ୟୁରୋପୀୟ ୟୁନିଅନ ଋଷିଆ ଉପରେ ଆର୍ଥିକ କଟକଣା ଲଗାଇବା ସତ୍ତ୍ବେ ପୁଟିନ ୟୁକ୍ରେନ ଆକ୍ରମଣ ଜିଦରେ ଅଟଳ ରହିଛନ୍ତି । ଅନ୍ୟପକ୍ଷରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ଚୀନ୍ ଆମେରିକାକୁ ଦାୟୀ କରିଛି ।

LEAVE A REPLY

Please enter your comment!
Please enter your name here