ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସର ସଫଳତା ପ୍ରଦେଶ କଂଗ୍ରେସରେ ଏବେ ନୂଆ ଆଶା ସଂଚାର କରିଛି । ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ । ଓଡିଶାରେ ଚାଷୀଙ୍କ ସମସ୍ୟା ମଧ୍ୟ କିଛି କମ୍ ନୁହେଁ । ଏଠାକାର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୋଲସି ଲଗାଇ ଜୁଲମ କରାଯାଉଛି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ୍ ପ୍ରଦାନ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆର୍ଥିକ ସହାୟତା ପ୍ରଦାନ କରିବ । ଓଡିଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ନିରଞ୍ଜନ କହିଛନ୍ତି । ରାଜ୍ୟରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଏବଂ ଭାଗୁଆଳି ସରକାରରେ ଥିବା ଏହି ଦୁଇଟିଯାକ ଦଳ ଓଡିଶାର ଚାଷୀଭାଇମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସଂପୂର୍ଣ୍ଣ ଅସମର୍ଥ । ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳ ସ୍ପଷ୍ଟ କରିଦେଇଛି ଯେ, ଏବେବି ଭାରତରେ ଗଣତନ୍ତ୍ର ବଂଚିଛି ଓ ଫାଶୀବାଦର ଏଠାରେ ସ୍ଥାନ ନାହିଁ । କଂଗ୍ରେସମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି ଆଜି ବିଜେପିମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି । ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶା ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ସେ କହିଛନ୍ତି । ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରୁ ବିଜେପିକୁ ଶିକ୍ଷାଲାଭ କରିବା ଉଚିତ୍ ବୋଲି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ।