ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୫ଦିନ ବାକି । ଭୋଟ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ସମସ୍ତ ଦଳ । ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ କିଛିଦିନ ଧରି ଲଗାତାର ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୁଣି ମୋଦୀ ସୁନ୍ଦରଗଡରେ ପ୍ରଚାର କରିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ପହଁଞ୍ଚିବା ପରେ ସିଧାସଳଖ ସୁନ୍ଦରଗଡ ଯାଇଛନ୍ତି । ସୁନ୍ଦରଗଡରେ ଦଳୀୟ ନେତା, ପ୍ରାର୍ଥୀ, କର୍ମୀ ଓ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୋଦି । ଏହି ଅବସରରେ ଓଡ଼ିଶାର ସବୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କହିଛନ୍ତି ଆଜି ବିଜେପିର ପ୍ରତିଷ୍ଠା ଦିବସ । ଧନ ବଳ କି ବାହୁ ବଳରେ ବିଜେପି ପ୍ରତିଷ୍ଠା ହୋଇନି । ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ବିଜେପିର ଜନ୍ମ । ବିଜେପି ଯୁବ ଭାରତର ଦଳ ବୋଲି ସେ କହିଛନ୍ତି । ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ ବୋଲି ମୋଦି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସ୍ଥାନୀୟ ଛତାବର ପଡିଆରେ ସେ ଉଭୟ ବିଜେଡି ସରକାର ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହାପରେ ମୋଦୀ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ କହିଥିଲେ କି ଅନ୍ଧାର ହଟିବ ଏବଂ ପଦ୍ମ ଫୁଟିବ । ଓଡିଶାରେ ପଦ୍ମ ଫୁଟିବା ନିଶ୍ଚିତ । ସବୁଠାରୁ ଅଧିକ ଆସନ ବିଜେପି ହାତକୁ ଯିବ ।  ଆମ ଯାତ୍ରାରେ ବିଜେପିର ଅନେକ ତପସ୍ୱୀ କାର୍ଯ୍ୟକର୍ତା ରହିଛନ୍ତି । ଓଡିଶାରେ ଦେବେନ୍ଦ୍ର ପ୍ରଧାନ, ବିଶ୍ୱଭୁଷଣ ହରିଚନ୍ଦନ ବିଜେପିକୁ ମଜବୁତ କରିଥିଲେ । ବିଜେପିର ୧୧ କୋଟି ସଦସ୍ୟଙ୍କୁ ମୋଦୀ ଅଭିନ୍ନଦନ ଜଣାଇଛନ୍ତି । ଦେଶରେ ପୁଣିଥିରେ ବିଜେପିର ବହୁମତ ସରକାର ହେବା ନେଇ ସେ କହିଛନ୍ତି ।  ସୁନ୍ଦରଗଡ଼ ସମାବେଶ ପରେ ସୋନପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ସୋନପୁରର ରାମେଶ୍ୱର ଷ୍ଟାଡିୟମରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here