କଂଗ୍ରେସର ଭାରତ ଯୋଡ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଚାଲିଛି । କିନ୍ତୁ ଏବେ ଓଡିଶାରେ ବି ଚାଲିବ କଂଗ୍ରେସର ଯୋଡ ଯାତ୍ରା । ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରୁ ଏହା ଆରମ୍ଭ ହେବ। ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାଂସଦ ଜୟରାମ ରମେଶ। ରାଜ୍ୟରେ ୨୨୫୦ କିମିର ପଦଯାତ୍ରା କରାଯିବ। ଦୈନିକ ୨୦ କିମି ଯାତ୍ରା କରାଯିବ। ଏହି ଯାତ୍ରା ୨୦ଟି ସଂସଦୀୟ କ୍ଷେତ୍ର ଅତିକ୍ରମ କରିବ। ହାରାହାରି ଶହେ ଦିନ ଧରି ରାଜ୍ୟରେ ‘ଭାରତ ଯୋଡ଼ୋ’ ପଦଯାତ୍ରା ଚାଲିବ । ଆଜି ଓଡିଶାରେ ପହଁଞ୍ଚିଥିଲେ ବରିଷ୍ଠ ନେତା ଦିଗ୍ ବିଜୟ ସିଂ ଏବଂ ଜୟରାମ ରମେଶ । ଭାରତ ଯୋଡ ଯାତ୍ରା ନେଇ ଦଳର ବୈଠକ ବସିଥିଲା । ଏହି ଅବସରରେ ଶ୍ରୀ ରମେଶ ବିଜେପି ଓ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ପ୍ରଧାନମନ୍ତ୍ରୀଙ୍କ କଥାରେ ଏଠାକାର ମୁଖ୍ୟମନ୍ତ୍ରୀ ଉଠବସ ହୁଅନ୍ତି।ସେ ଆହୁରି କହିଛନ୍ତି, ଆର୍‌ଏସ୍‌ଏସ୍‌, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଯୋଗୁ ଭାରତ ଖଣ୍ଡ ଖଣ୍ଡ ହେଉଛି। ଏଥିପାଇଁ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶାରେ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ହୋଇଥିବାରୁ ଉଭୟ ଦଳ ବିପକ୍ଷରେ ‘ଭାରତ ଯୋଡ଼ୋ’ ପଦଯାତ୍ରା ହେବ।
କନ୍ୟାକୁମାରୀରୁ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଭାରତ ଯୋଡ ଯାତ୍ରାର ଦାୟିତ୍ୱ ନେଇଛନ୍ତି । ତାମିଲନାଡୁ ପରେ ଭାରତ ଯୋଡ ଯାତ୍ରା ଏବେ କେରଳରେ ପହଁଞ୍ଚିଛି । ସବୁ ରାଜ୍ୟ ଦେଇ ଏହି ଯାତ୍ରା କାଶ୍ମୀରର ଶ୍ରୀନଗରରେ ଶେଷ ହେବ । ଯେଉଁ ରାଜ୍ୟକୁ ରାହୁଲ ଗାନ୍ଧି ଯିବେନାହିଁ ସେଠାରେ ଦଳର ବରିଷ୍ଠ ନେତା ସାମିଲ ହେବେ । ଓଡିଶା ଆସିବେନି ରାହୁଲ ଗାନ୍ଧି । ତେଣୁ ଓଡିଶାରେ ବରିଷ୍ଠ ନେତାମାନେ ଭାରତ ଯୋଡ ଯାତ୍ରାରେ ସାମିଲ ହେବାର ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here