କାଲି ସକାଳେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ନୂଆ ମୁହଁ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା । ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୋକସେବା ଭବନରେ ଶପଥ ପାଠ ପାଇଁ ସମସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ତେବେ ଯେଉଁମାନେ ଆସନ୍ତକାଲି ଶପଥ ନେବେ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫୋନ୍ କଲ୍ ଯାଇଛି । ଫୋନ୍ କଲ୍ ପାଇଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ୍ । 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ତାଙ୍କ ମନ୍ତ୍ରୀମଣ୍ଡଳର ପୁର୍ନଗଠନ କରୁଥିବାରୁ କେଉଁ ଅଞ୍ଚଳରୁ କିଏ ମନ୍ତ୍ରୀ ହେଲେ ଦଳ ପାଇଁ ଲାଭଦାୟକ ହେବ, ସେଇ ଆଧାରରେ ଚୟନ କରାଯାଉଛି । ଦକ୍ଷିଣ ଓଡିଶାରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପ୍ରଭାବ ବିସ୍ତାର ପାଇଁ ନବୀନଙ୍କ ଟିମ୍ ବିକ୍ରମ କେଶରୀ ଆରୁଖଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଚୟନ କରିଥିବା ସୂଚନା ମିଳିଛି ।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ସୁଦାମ ମାରାଣ୍ଡି ଓ ରାଉରକେଲାରୁ ସାରଦା ନାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ।

ନବ ଦାସଙ୍କ ବିୟୋଗ ପରେ ସ୍ବାସ୍ଥ୍ୟ ବିଭାଗ ପଦ ଖାଲି ପଡିଥିବା ବେଳେ ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳରେ ତିନୋଟି ପଦ ଖାଲି ପଡିଛି । ଏଥିସହିତ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବାରୁ ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି କରାଯିବ । ଦେବୀ ମିଶ୍ର, ଅମର ପ୍ରସାଦ ଶତପଥି ଅବା ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରିବା ପାଇଁ ନେତୃତ୍ବ ବିଚାର କରୁଥିବା ଚର୍ଚ୍ଚା ହେଉଛି । ଯଦି ପ୍ରମିଳା ମଲ୍ଲିକ ବାଚସ୍ପତି ହୁଅନ୍ତି, ତେବେ ତାଙ୍କ ପାଖରେ ଥିବା ମନ୍ତ୍ରୀ ପଦରେ ଆଉ ଜଣେ ବିଧାୟକଙ୍କୁ ଚୟନ କରାଯିବ । ଏବଂ ପ୍ରମିଳାଙ୍କ ସ୍ଥାନରେ ଆଉ ଜଣେ ମହିଳା ବିଧାୟକଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here