ମୋ ପାଂଚବର୍ଷର ଝିଅକୁ ମାରି ଫିଙ୍ଗିଦେଲେ, ଝିଅକୁ ମାରିବା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଅଛି, ସବୁଆଡେ ବୁଲି ବୁଲି ନିରାଶ ହେଲୁ, ନ୍ୟାୟ ପାଇଲୁନି । ଆମେ ଆଉ କାହିଁକି ବଞ୍ଚିବୁ । ଏହା ଥିଲା ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତିଙ୍କ କୋହଭରା ସ୍ୱର ।
ବିଧାନସଭା ଆଗରେ ଆଜି ଏମିତି ଅଭାବନୀୟ ଘଟଣା ଘଟିଥିଲା । ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ଦମ୍ପତ୍ତି ଅଶୋକ ସାହୁ ଏବଂ ସୌଦାମିନୀ ଆସି ପହଞ୍ଚିଥିଲେ ବିଧାନସଭା ଆଗରେ । ପୋଲିସ କର୍ମଚାରୀଙ୍କ ନଜର ପଡିବା ବେଳକୁ ଚାଦର ଘୋଡି ହୋଇଥିବା ଦମ୍ପତ୍ତି ନିଜ ଉପରେ କିରୋସିନୀ ଢାଳି ଦେଇଥିଲେ । ମାତ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ସେମାନଙ୍କୁ କାବୁ କରି ନେଇଥିଲା । ତେବେ କଣ ପାଇଁ ଏହି ଦମ୍ପତ୍ତି ଆତ୍ମାହୁତି ଉଦ୍ୟମ କଲେ । ଦମ୍ପତ୍ତି ଅଶୋକ ସାହୁ ଏବଂ ସୌଦାମିନୀ ହେଉଛନ୍ତି ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର । ଅଶୋକ ଜଣେ ଅଟୋ ଚାଳକ । ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ଅଶୋକ ସାହୁ ଏବଂ ତାଙ୍କ ପତ୍ନୀ ସୌଦାମିନୀଙ୍କର ଏକମାତ୍ର ସନ୍ତାନ ହେଉଛି ପରୀ । ଯାହାର ବୟସ ୫ ବର୍ଷ । ୩ ମାସ ତଳେ ୫ ବର୍ଷର ନିଷ୍ପାପ ବାଳିକାଟି ଦାଣ୍ଡ ଦୁଆରେ ଖେଳୁଥିଲା । ଦାଣ୍ଡ ଦୁଆରୁ ଏହି ୫ ବର୍ଷର ଝିଅଟିକୁ ଉଠାଇ ନେଇ ମର୍ଡର କରାଗଲା । ନୟାଗଡ ସଦର ଥାନାରେ ଅଶୋକ ସାହୁ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ୩ ମାସ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଫଳରେ ଅଶୋକ ସାହୁ ନୟାଗଡ ଏସପିଙ୍କୁ ଭେଟିବା ସହ ନୟାଗଡ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ । ୨ ସପ୍ତାହ ପରେ ପରୀ ଶରୀରର ଖଣ୍ଡ ବିଖଣ୍ଡିତ ହାଡ ଅଶୋକ ସାହୁଙ୍କ ବାରିପଟେ ବସ୍ତାରେ ପଡିଥିଲା । ଏହାପରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ଏହି ଘଟଣାର ତଦନ୍ତ କରିଥିଲେ । ହାଡକୁ ଜବତ କରି ଲ୍ୟାବ ପଠାଇଥିଲେ ଟେଷ୍ଟ ପାଇଁ । ନ୍ୟାୟ ପାଇବା ପାଇଁ ମହିଳା କମିଶନଠୁ ଆରମ୍ଭ କରି ମାନବାଧିକାର ଆୟୋଗ ଏବଂ ହାଇକୋର୍ଟ ଦଉଡି ଦଉଡି ଫଳ ଶୂନ ହୋଇଥିଲା । ଶେଷରେ ନିରାଶ ଦମ୍ପତ୍ତି ବିଧାନସଭା ଆଗରେ ଆତ୍ମାହୁତି କରିବା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ ।