ଲୋକାୟୁକ୍ତ ନିଯୁକ୍ତିରେ ସରକାର ଫେଲ୍. ନିଯୁକ୍ତି ପ୍ରକ୍ରିୟା ସାରିବା ପାଇଁ ଆହୁରି ତିନିମାସ ସମୟ ମାଗିଥିଲେ, କିନ୍ତୁ ସୁପ୍ରିମକୋର୍ଟ ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି. କେବେସୁଦ୍ଧା ନିଯୁକ୍ତି କରିବେ, ନିର୍ଦ୍ଧିଷ୍ଟ ଭାବେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ସୂଚନାଯୋଗ୍ୟ, ଫେବୃଆରୀ 2014ରେ ଓଡିଶା ପ୍ରଥମ ରାଜ୍ୟ ଭାବେ ବିଧାନସଭାରେ ଲୋକାଯୁକ୍ତ ବିଲ୍ ପାରିତ କରିଥିଲା. 2015 ଫେବୃଆରୀରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେଇଥିଲେ. ଚୟନ କମିଟି ସୁପାରିଶ ଅନୁଯାୟୀ ରାଜ୍ୟପାଳ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦେବା କଥା. ନିୟମ ଅନୁଯାୟୀ ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତି ଅବା ଅବସରପ୍ରାପ୍ତ ବିଚାରପତିଙ୍କୁ ଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯିବା କଥା. ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଏକ ପାଞ୍ଚଜଣିଆ କମିଟି ଗଠନ କରିବେ ଏବଂ ଏହି କମିଟି ଲୋକାୟୁକ୍ତ ଅଧ୍ୟକ୍ଷ ପଦ ପାଇଁ ପାଞ୍ଚଜଣ ଏବଂ ସଦସ୍ୟ ପାଇଁ ପନ୍ଦର ଜଣଙ୍କ ନାମ ସୁପାରିଶ କରିବେ. ରାଜ୍ୟ ସରକାର ଜୁଲାଇ 10 ତାରିଖରେ ରିପୋର୍ଟ ଦାଖଲ କରିଥିଲେ. ସୁପ୍ରିମକୋର୍ଟ  ଅକ୍ଟୋବର 10 ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ. ମାତ୍ର ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସରକାର କାର୍ଯ୍ୟକାରୀ କରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି. ସରକାରୀ ସ୍ତରରେ ଟାଳଟୁଳ ନୀତି ଯୋଗୁ ଏହା ସଂପୂର୍ଣ୍ଣ ହୋଇପାରୁନି. ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲୋକାୟୁକ୍ତ ଗଠନ କେବଳ ଧର୍ମକୁ ଆଖିଠାର ପରି ରହିଛି.

LEAVE A REPLY

Please enter your comment!
Please enter your name here