5T ସଚିବ ଭି.କେ. ପାଣ୍ଡିୟାନଙ୍କୁ ସମ୍ବାଦ ସଂପାଦକୀୟରେ କଟାକ୍ଷ କରିବା ନେଇ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ । ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ହେଲିକପ୍ଟରରେ ପାଣ୍ଡିୟାନଙ୍କ ବ୍ୟୟବହୁଳ ଜିଲ୍ଲାଗସ୍ତକୁ ସମାଲୋଚନା କରିଥିଲେ । ତେବେ ସୌମ୍ୟଙ୍କ ସମାଲୋଚନା ପରେ ତୁରନ୍ତ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ କାଉଣ୍ଟର କରିଥିଲେ ହେଁ ଦଳର ଆଉ କୌଣସି ନେତା ମୁହଁ ଖୋଲି ନ ଥିଲେ । ମାତ୍ର ସୌମ୍ୟରଂଜନ ବିଜେଡି ବିଧାୟକ ରହି ଦଳ ଓ ସରକାରକୁ ସମାଲୋଚନା କରିବା ବିଜେଡି କୋଟେରୀକୁ ଶକ୍ତ ଆଘାତ ଦେଇଛି । ସୌମ୍ୟଙ୍କ ସମାଲୋଚନା ଏବଂ ଅନୁଭବଙ୍କ କାଉଣ୍ଟର ପରେ ଦଳର ପୁରୁଖା ନେତା ଦାମୋଦର ରାଉତ ସୌମ୍ୟଙ୍କ ସପକ୍ଷରେ ମୁହଁ ଖୋଲିଥିଲେ । ବାରମ୍ବାର ସରକାର ଓ ଦଳକୁ ନିଜ ମାଲିକାନାରେ ଥିବା ଖବରକାଗଜରେ ସମାଲୋଚନା କରିବା ଘଟଣାକୁ ଦଳୀୟ କୋଟେରୀ ବରଦାସ୍ତ କରିବା ଅବସ୍ଥାରେ ନାହାଁନ୍ତି । ବିଜେଡି ସରକାରର ଆଇଡିଆଲ ଆଇଏଏସ ଅଫିସରଙ୍କୁ କଟାକ୍ଷ କରୁଥିବା ସୌମ୍ୟରଂଜନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କେମିତି ଢଙ୍ଗରେ କରାଯିବ, ସେଥିପାଇଁ ଷ୍ଟ୍ରାଟେଜୀ ପ୍ରସ୍ତୁତ କରାଯାଇଛି । ସୌମ୍ୟ ଯେମିତି ସରକାରକୁ ଅପଦସ୍ଥ କରୁଛନ୍ତି, ସେଥିରୁ ସ୍ପଷ୍ଟ ହୋଇସାରିଛି ଦଳୀୟ ଟିକଟ ତାଙ୍କୁ ଆଉ ମିଳିବ ନାହିଁ । କିନ୍ତୁ କେବଳ ଦଳରୁ ସସପେଣ୍ଡ କରିବା କି ବହିଷ୍କାର କରିବା ପାଇଁ ସୁପ୍ରିମୋଙ୍କ କୋଟେରୀ ଚାହୁଁନାହାଁନ୍ତି । ମିଳିଥିବା ସୂତ୍ର କହୁଛି, ସର୍ବସାଧାରଣରେ ସୌମ୍ୟଙ୍କୁ ବଦନାମ କରିବା ପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମେ ବିଧାୟକ ଅରୁଣ ସାହୁ ଏବଂ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟରଂଜନଙ୍କୁ ଟାର୍ଗେଟ କରିଛନ୍ତି । ଦୁଇନେତାଙ୍କ ଆକ୍ଷେପ ହେଉଛି, ସୌମ୍ୟରଂଜନ ପଟ୍ଟନାୟକ ଜଣେ ଅଭ୍ୟାସଗତ ଦଳ ବଦଳ କରୁଥିବା ନେତା । ଅନେକ ଦଳ ବଦଳାଇ ସେ ବିଜେଡି ବିଧାୟକ ହୋଇଥିଲେ ହେଁ ସେ ମନ୍ତ୍ରୀ ହେବାକୁ ଚାହୁଁଥିଲେ ଏବଂ ମନ୍ତ୍ରୀ ନ ହେବା କାରଣରୁ ସେ ସରକାରଙ୍କୁ ବ୍ଲାକମେଲିଂ କରୁଛନ୍ତି । ବ୍ଲାକମେଲିଂ କରି ସେ କଦାପି ଲକ୍ଷ ହାସଲ କରିପାରିବେ ନାହିଁ ବୋଲି ଦୁଇ ନେତା କହିବା ସହ ସୌମ୍ୟରଂଜନଙ୍କୁ ସମାଲୋଚନା କରିଛନ୍ତି । ଦଳର ଏ ଦୁଇ ନେତାଙ୍କ ପରେ ଆହୁରି କିଛି ବିଧାୟକ, ମନ୍ତ୍ରୀ ଓ ସାଂସଦ ବି ସୌମ୍ୟରଂଜନଙ୍କୁ ଗଣମାଧ୍ୟମରେ ସମାଲୋଚନା କରି ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ସର୍ବସାଧାରଣରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମାଲୋଚନାମୂଳକ ବକ୍ତବ୍ୟରେ କୌଣସି ଦମ୍ ନାହିଁ ଏବଂ ସମାଲୋଚନା କେବଳ ଉଦ୍ଦେଶ୍ୟମୂଳକ ବୋଲି ଦଳୀୟ ନେତାମାନେ ବାରମ୍ବାର କହିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମୋ ମୋହର ମାରିବେ ବୋଲି ସୂଚନା ମିଳିଛି ।

ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମାଲୋଚନା କରି ବିଧାୟକ ଅରୁଣ ସାହୁ ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦେଇଥିବା ବକ୍ତବ୍ୟକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜାମାତା ସୌମ୍ୟରଂଜନ ପଟ୍ଟନାୟକ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିଲେ ହେଁ ଦଳ ଛାଡି 1995ରେ ଭୁବନେଶ୍ବର ଆସନରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୁ ପଟ୍ଟନାୟକଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ । ପୁଣି ବିଜେପି ଛାଡି ସେ କଂଗ୍ରେସକୁ ଫେରିଥିଲେ ଏବଂ 1996ରେ କିଛି ମାସ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ପୁଣି ସେ କଂଗ୍ରେସ ଛାଡି ଶରଦ ପାଓ୍ବାରଙ୍କ ଏନସିପିରେ ଯୋଗ ଦେଇଥିଲେ । ଅତଏବ ବାରମ୍ବାର ଦଳ ପରିବର୍ତ୍ତନ କରିବାରେ ତାଙ୍କର କୌଣସି ଦ୍ବିଧାବୋଧ ନ ଥିଲା । କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ଜଣେ କ୍ଷମତା ଲୋଭରେ ବାରମ୍ବାର ଦଳ ବଦଳାଉଛି ବୋଲି ଆମେ ଜାଣିଛେ, ତା ହେଲେ ସେଭଳି ଅଭ୍ୟାସଗତ ଜଣେ ଦଳ ପରିବର୍ତ୍ତନକାରୀ ନେତାଙ୍କୁ ବିଜେଡି କେଉଁ ଲୋଭରେ ଦଳରେ ସାମିଲ କରିଥିଲା ? ଖାଲି ଦଳରେ ସାମିଲ ନୁହେଁ, ପ୍ରଥମେ ସାଂସଦ କଲା ଏବଂ ପରେ ଖଣ୍ଡପଡା ବିଧାନସଭା ଆସନରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ କରାଇଲା । ସୌମ୍ୟରଂଜନଙ୍କୁ ଦଳରେ ସାମିଲ କରିବା ଏବଂ ଅନୁଭବ ପଟ୍ଟନାୟକଙ୍କ ଟିକଟ କାଟି ସୌମ୍ୟଙ୍କୁ ଖଣ୍ଡପଡାରୁ ପ୍ରାର୍ଥୀ କରାଇବା ପଛରେ ବିଜେଡିର କି ସ୍ବାର୍ଥ ଥିଲା ?

ଏବେ ଆସନ୍ତୁ ଚର୍ଚ୍ଚା କରିବା ବିଜେଡିର ଲୋଭ ସଂପର୍କରେ । କଣ ପାଇଁ ସୌମ୍ୟଙ୍କୁ ଦଳରେ ସାମିଲ କରିଥିଲା ବିଜେଡି ? ସୌମ୍ୟଙ୍କୁ ଦଳରେ ସାମିଲ କରିବା ବେଳେ କଣ ଥିଲା ପରିସ୍ଥିତି ?

ଆମେ ସମସ୍ତେ ଜାଣିଛେ, ନିର୍ବାଚନ ରାଜନୀତି କ୍ଷେତ୍ରରେ ମିଡିଆର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ । ସୌମ୍ୟରଂଜନଙ୍କୁ ବିଜେଡିରେ ସାମିଲ କରିବା ସମୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ଦଳର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଫାଟ ବଢି ବଢି ଚାଲିଥିଲା । ପରିଣାମ ଏମିତି ହୋଇଥିଲା ଯେ ବୈଜୟନ୍ତଙ୍କୁ ଦଳରୁ ବାହାର କରିବାକୁ ପଡିଥିଲା । ଆଉ ବୈଜୟନ୍ତଙ୍କ ସହ ତାଙ୍କ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲ ବି ସରକାର ବିରୋଧୀ ହୋଇଯାଇଥିଲା । ଗୁଣଗାନ କରିବା ପାଇଁ ସରକାରୀ ଦଳକୁ ଦରକାର ପଡୁଥିଲା ମିଡିଆ । ସୌମ୍ୟରଂଜନଙ୍କ ମାଲିକାନାରେ ସର୍ବାଧିକ ପ୍ରସାରିତ ଖବରକାଗଜ ଏବଂ ଟିଭି ଚ୍ୟାନେଲ । ତେଣୁ ଉଭୟ ସୌମ୍ୟରଂଜନ ଓ ଦଳ ସୁପ୍ରିମୋଙ୍କ ମଧ୍ୟରେ ସମଝୋତା ହେବା ପରେ ଜଣେ ଅଭ୍ୟାସଗତ ଦଳ ପରିବର୍ତ୍ତନକାରୀ ନେତାଙ୍କୁ ଦଳରେ ସାମିଲ କରିଥିଲା ବିଜେଡି । ଏବେ ଯେତେବେଳେ ସୌମ୍ୟରଂଜନଙ୍କ କଟାକ୍ଷ ଅସହ୍ୟ ହେଉଛି, ସେତେବେଳେ ଦଳର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ରଣନୀତି । (ଅପୂର୍ବ କୁମାର ମହାନ୍ତି)

LEAVE A REPLY

Please enter your comment!
Please enter your name here