ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ । ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଆଜି ଲୋକପାଳ ଆଦେଶ ଦେଇଛନ୍ତି । ବିଜେପି ନେତା ନିଶିକାନ୍ତ ଦୁବେ ଏକ୍ସ (ଟ୍ବିଟର)ରେ ଉଲ୍ଲେଖ କରିଛନ୍ତି, ତାଙ୍କର ଦାବି ଉପରେ ଲୋକପାଳ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଇଛନ୍ତି । ଶ୍ରୀ ଦୁବେ କହିଛନ୍ତି, ବ୍ୟବସାୟୀ ଦର୍ଶନ ହିରନାନ୍ଦିନୀଙ୍କ ସହ ମହୁଆ ସଂସଦ ପେଜ୍ ଲଗଇନ୍ ସେୟାର କରି ଦେଶର ଜାତୀୟ ନିରାପତ୍ତା ସହ ସାଲିସ କରିଛନ୍ତି । ତାଙ୍କ ସଂସଦ ପେଜ୍ ଦୁବାଇରେ ବାରମ୍ବାର ଖୋଲାଯିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ବ୍ୟବସାୟୀଙ୍କ ସ୍ବାର୍ଥରକ୍ଷା ପାଇଁ ସଂସଦରେ ପ୍ରଶ୍ନ ପଚାରିବାକୁ ସାଂସଦ ମହୁଆ ମୈତ୍ର ତାଙ୍କ ଠାରୁ ଟଙ୍କା ନେଇଥିଲେ ବୋଲି ଦୁବେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟୀ ଦର୍ଶନ ହିରନାନ୍ଦିନୀ ଏକ ସତ୍ୟପାଠରେ ସ୍ପଷ୍ଟ କରିଦେଇଛନ୍ତି, ସାଂସଦ ମହୁଆ ମୈତ୍ର ତାଙ୍କ ସଂସଦ ପେଜ୍ ଲଗଇନ୍ ସେୟାର କରିଥିଲେ । ମହୁଆଙ୍କୁ ସେ ଦେଇଥିବା ଟଙ୍କା ଗିଫ୍ଟ ଥିଲା ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ସଂସଦତୀୟ ଏଥିକ୍ସ କମିଟି ବୈଠକ ବସିଥିଲେ ହେଁ ବୈଠକ ଅଧାରୁ ମହୁଆ ଛାଡି ଚାଲି ଆସିଥିଲେ । ଏଥିକ୍ସ କମିଟିରେ ତାଙ୍କୁ କରାଯାଇଥିବା ପ୍ରଶ୍ନକୁ ସେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସହ ତୁଳନା କରିଥିଲେ ।
ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରିବା ଏବଂ ଆଦାନୀ ବିରୋଧୀ ପ୍ରଶ୍ନ ପଚାରିବା ପାଇଁ ମହୁଆ ଟଙ୍କା ନେଇଥିଲେ ।

LEAVE A REPLY

Please enter your comment!
Please enter your name here