କୋଭିଡ ପାଇଁ ସରକାରଙ୍କ କେତେ ଆଇନକାନୁନ । ବାହାଘରକୁ କେତେ ଲୋକ ଆସିପାରିବେ, କେମିତି ପ୍ୟାକେଟ ଖାଇବେ, ମାସ୍କ ଓ ସାମାଜିକ ଦୂରତା ନିୟମ ମାନିବେ, ଏମିତି ଅନେକ କଥା । କୋଉଠି ଟିକେ ଢିଲା ହୋଇଗଲେ ସାଙ୍ଗେ ସାଙ୍ଗେ ସରକାରୀ ବାବୁଙ୍କ ନାଲିଆଖି । ସାଧାରଣ ଲୋକଙ୍କ ଉପରେ ତାଉ ଦେଖାନ୍ତି । ମାତ୍ର ଯାଜପୁର ସୁକିନ୍ଦା ତହସିଲଦାରଙ୍କ ଭାଇ ବାହାଘର ଯେତେବେଳେ, ସେଠି ଟିକେ କାନୁନକୁ ଢିଲା କରିଦେଲେ କ୍ଷତି କଣ ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ମ୍ୟାଡାମଙ୍କ ଭିଡିଓ । ମ୍ୟାଡାମ ହେଲେ ତହସିଲଦାର ବୁଲବୁଲ୍ ବେହେରା । ଭାଇ ବାହାଘରରେ ଉଠେଇ ପକେଇ ନାଚୁଥିବା ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ମୁହଁରେ ମାସ୍କ ଅଛି, ପୁଣି ନାହିଁ । ସାମାଜିକ ଦୂରତା କଥା ଆପଣ ଭିଡିଓ ଦେଖିଲେ ଜାଣିଯିବେ । କିନ୍ତୁ ତହସିଲଦାର ମ୍ୟାଡାମଙ୍କୁ କହିବ କିଏ । ସିଏ ତ ସରକାର ନା ?
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଗତ ଶୁକ୍ରବାର ରାତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ । ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା ।ଏ ଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ଏକ ନାଲି ରଙ୍ଗର ଲେହେଁଙ୍ଗା ପିନ୍ଧି ଭିନ୍ନ ଭାବଭଙ୍ଗିରେ ଖୋଲମଖୋଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଶାସନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ସହ ସୁକିନ୍ଦା ତହସିଲଦାର କରୋନା କଟକଣା ନିୟମର ଧଜିଆ ଉଡାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ ହୋଇଛି । ସାମାଜିକ ଦୁରତା, ମାକ୍ସ ପରିଧାନ କଥାକୁ ପଛରେ ପକାଇ କନ୍ୟା ଘର ଆଗରେ କରୋନା କଟକଣାକୁ ଫୁ କରି ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।ଖବର ପାଇ ତିର୍ତ୍ତୋଲ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମାତ୍ର କୌଣସି ଅଦୃଶ୍ୟ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି । ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୋଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା ବେଳେ ବେଆଇନ ବିବାହ ଉତ୍ସବରେ ଚୁପ ରହିଲା କାହିଁକି ? ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ଦାବି ହେଉଛି।













