ସ୍କୁଟର ପଛରେ ରସିରେ ବନ୍ଧା ହୋଇଛନ୍ତି ଜଣେ ଯୁବକ । ସ୍କୁଟର ଚଲାଉଛନ୍ତି ଦୁଇଜଣ ଯୁବକ । ଜନଗହଳିପୂର୍ଣ୍ଣ ସହର ମଝିରେ ରସିରେ ବନ୍ଧା ହୋଇଥିବା ଯୁବକ ଜଣକ ଅସହାୟ ହୋଇ ଚିତ୍କାର କରୁଛନ୍ତି । ପ୍ରାଣମୁର୍ଚ୍ଛା ଧାଇଁବାରେ ଲାଗିଛନ୍ତି । କେତେବେଳେ ଧାଇଁ ଧାଇଁ ତଳେ ଘୋଷାଡି ହୋଇଯାଉଛନ୍ତି ତ ପୁଣି କେତେବେଳେ ଅଣନିଶ୍ବାସୀ ହୋଇ ଦଉଡୁଛନ୍ତି । ହେଲେ ଯୁବକଙ୍କୁ ବଞ୍ଚାଇବାକୁ କେହି ସାହସ କରୁନାହାଁନ୍ତି । ଟ୍ରାଫିକ ଛକରେ ଦେଖୁଥିବା ପୋଲିସ କର୍ମଚାରୀ ବି ଚୁପ୍ । ଏ ଦୃଶ୍ୟ କୌଣସି ସିନେମାର ନୁହେଁ କି ଆଫଗାନିସ୍ଥାନର ନୁହେଁ । ଏମିତି ବର୍ବରତା ଦେଖିବାକୁ ମିଳିଛି କଟକ ସହରରେ । ସେଲଟର ଛକରୁ ମିଶନ ରୋଡ ଯାଏଁ ଦୁଇ କିଲୋମିଟର ରାସ୍ତା ରସିରେ ବାନ୍ଧି ଦୁଇ ଅପରାଧୀ ଯୁବକଙ୍କୁ ଦଉଡାଇବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରସିରେ ବନ୍ଧା ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଗନ୍ନାଥ ବେହେରା । ବିଡାନାସି ଶ୍ରୀବିହାର କଲୋନିରେ ରୁହନ୍ତି । ଅଜାଙ୍କ ଶୁଦ୍ଧିକ୍ରିୟା ପାଇଁ ସେ ତାଙ୍କର ପରିଚୟ ଥିବା ସେକ ହୁସେନ ଠାରୁ 15ଶହ ଟଙ୍କା ଉଦ୍ଧାର ନେଇଥିଲେ । ମାତ୍ର ପରେ ସେ ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ସେକ ଛୋଟୁ ଓ ସେକ ହୁସେନ ତାଙ୍କୁ ଏଭଳି ଅମାନବିକ ଭାବେ ନିର୍ଯାତନା ଦେଇଥିଲେ । ସୋସିଆଲ ମିଡିଆରେ ଏ ଦୃଶ୍ୟ ଭାଇରାଲ ହେବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ଘଟିବା ବେଳେ ଟ୍ରାଫିକ ଡ୍ୟୁଟିରେ ଥିବା ଜଣେ ହାବିଲଦାରଙ୍କୁ ଡିସିପି ନୋଟିସ କରିଛନ୍ତି ।
ମାତ୍ର ପ୍ରଶ୍ନ ଉଠୁଛି, କଟକ ସହରରେ ଅପରାଧୀମାନେ ଏଭଳି ବର୍ବର କାଣ୍ଡ ଘଟାଇବାକୁ ସାହସ କେମିତି କଲେ ?

LEAVE A REPLY

Please enter your comment!
Please enter your name here