ଆଜିଠାରୁ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସବୁ ବର୍ଗର ଲୋକଙ୍କ ଚକ୍ଷୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସବୁ ବର୍ଗର ଜନସାଧାରଣ ଏହି ଯୋଜନାରେ ସାମିଲ ହୋଇପାରିବେ । ‘ସୁନେତ୍ର’ ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ମାଗଣାରେ କରିବେ । ଏଥିସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇଦିଆଯିବାର ବ୍ୟବସ୍ଥା ହୋଇଛି । ଏହାଛଡା ଯେକୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା ଡାକ୍ତରଖାନାରେ ହେବ । ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚାଳିଶିଆ ଚଷମା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ବୟସ୍କ ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ମାଗଣାରେ ହେବ। ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ ।