ଜୟପୁର ସହରକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଉଡାଣ ଭରିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ। ମାତ୍ର ୯୯୯ ଟଙ୍କାରେ ଯାତ୍ରୀମାନେ ଭୁବନେଶ୍ୱରରୁ ଜୟପୁରକୁ ଯାତ୍ରା କରିପାରିବେ ବୋଲି ଜଣାପଡ଼ିଛି। ଏହି ଅଫର୍‌ କେବଳ ଆଜି ଓ ଆସନ୍ତାକାଲି ପାଇଁ ରହିଛି। ଏହାପରେ ବିମାନ ଟିକେଟ୍‌ ଦର ବୃଦ୍ଧି ହେବ। ସେହିପରି ଜୟପୁରରୁ ଏହା ୧ଟା ୪୦ ମିନିଟରେ ଛାଡ଼ିବ ଓ ୨ଟା ୩୦ରେ ବିଶାଖାପାଟଣାରେ ପହଞ୍ଚିବ। ଏହା ଅପରାହ୍ଣ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ମିନିଟରେ ଜୟପୁରରେ ପହଞ୍ଚିବ। ୪ଟା ୫ ମିନିଟରେ ଜୟପୁରରୁ ବାହାରି ୫ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ। ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା। ଆଗାମୀ ଦିନରେ ଉଡାଣ ସ୍କିମ୍‌ ଅଧୀନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ୍‌ ମିଳିଛି। ଏଥିଲାଗି DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯା‌ଏ ବିମାନ ଚଳାଚଳ କରିବ। ଏହି ରୁଟରେ ଭୁବନେଶ୍ୱରରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ସେପଟେ ନୂଆ ବର୍ଷରୁ ଭୁବନେଶ୍ୱରରୁ ଗୌହାଟିକୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହକରେ ୪ ଦିନ- ରବିବାର, ସୋମବାର ବୁଧବାର ଓ ଶୁକ୍ରବାର ଉଡ଼ାଣ କରିବ।

LEAVE A REPLY

Please enter your comment!
Please enter your name here