ଦୀର୍ଘଦିନ ବ୍ୟବଧାନରେ ଚିଟଫଣ୍ଡ୍ ମାମଲାକୁ ନେଇ ନିଦ ଭାଙ୍ଗିଛି ସିବିଆଇର I ସିବିଆଇ ଟିମ୍ ଆଜି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭୁବନେଶ୍ବର ଏକ ନମ୍ବର ସ୍ଥିତ କ୍ବାର୍ଟରରେ ଚଢଉ କରିଛି I ସି ସୋର୍ ଚିଟଫଣ୍ଡ୍ ଠକେଇ ମାମଲାରେ ଦେବୀ ମିଶ୍ରଙ୍କ ସଂପୃକ୍ତି ନେଇ ଖୋଳତାଡ କରିଛି ସିବିଆଇ I ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ସିବିଆଇ ଅଧିକାରୀମାନେ ଦେବୀ ମିଶ୍ରଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଯାଞ୍ଚ କରିବାକୁ ମାଗିଥିଲେ I ଦେବୀ ମିଶ୍ରଙ୍କ ନରସିଂହପୁରସ୍ଥିତ ପୈତୃକ ବାସଭବନ ସମେତ ସାତଟି ସ୍ଥାନରେ ସିବିଆଇ ଟିମ୍ ଚଢଉ କରିଥିଲା I ତେବେ ଏହି ମାମଲାରେ ଦେବୀ ମିଶ୍ର କହିଛନ୍ତି, ସେ ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି ସୋର ପକ୍ଷରୁ ହୋଇଥିବା ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ଓ ଅଟ୍ରି ଗେଷ୍ଟ ହାଉସକୁ ଅନୁମୋଦନ ମିଳିଥିଳା I ମାତ୍ର ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ନ ଥିଲା, ଏହା ସରକାରୀ ନିଷ୍ପତ୍ତି ହୋଇଥିବାରୁ ସେସଂପର୍କିତ ସମସ୍ତ କାଗଜପତ୍ର ବିଭାଗରେ ଥିବ ବୋଲି ସେ କହିଛନ୍ତି I ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, 2013ରୁ ଚିଟଫଣ୍ଡ୍ ମାମଲାର ତଦନ୍ତ ଚାଲିଥିବା ବେଳେ ଏଯାଏଁ ଚିଟଫଣ୍ଡ ଜମାକାରୀମାନେ ସେମାନଙ୍କ ଜମାରାଶି ଫେରି ପାଇବାରେ ବିଫଳ ହୋଇଛନ୍ତି I

LEAVE A REPLY

Please enter your comment!
Please enter your name here