କୁନି କୁନି ଶିଶୁଙ୍କ ଠାରୁ ଯୁବ ପ୍ରତିଭାଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ । ଦୀର୍ଘ ତିନିଘଣ୍ଟା ଧରି ଭୁବନେଶ୍ବର ଜୟଦେବ ଭବନ ପ୍ରେକ୍ଷାଳୟ ଶ୍ରୀଜଗନ୍ନାଥଙ୍କ ସୁମଧୁର ଭଜନରେ ଗୁଞ୍ଜରିତ ହୋଇ ଉଠିଲା । ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ ..ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀ ପ୍ରଣବ କିଶୋର ପଟ୍ଟନାୟକ । ତକ୍ଷକ ଟିଭି ପକ୍ଷରୁ ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ପ୍ରଣବ କିଶୋର । ଶିଶୁ, କିଶୋର ଓ ଯୁବ ପ୍ରତିଭାଙ୍କୁ ଆଗକୁ ଆଣିବାକୁ ହେଲେ ଏଭଳି ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ତେବେ କେବଳ ଭଜନ ଗାଇବାରେ ନୁହେଁ, ସେମାନଙ୍କ ଦ୍ବାରା ଗାନ ସଙ୍ଗୀତ ରେକର୍ଡିଂ କରାଯିବା ଉପରେ ସେ ଗୁରୁତ୍ବ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ କହିଥିଲେ, ଛୋଟ ଛୋଟ ପିଲାଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ ଶୁଣି ସେ ତଲ୍ଲୀନ ହୋଇଗଲେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ ପ୍ରଶଂସନୀୟ ।
ଅନ୍ୟତମ ଅତିଥି ଭାବେ ଇମ୍ଫା କର୍ପୋରେଟ ଆଫେୟାର୍ସ ହେଡ଼ କିଶୋର ଚରଣ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକ ରହିଛି ବୋଲି କହିଥିଲେ । ବିଶିଷ୍ଟ ସଂଗୀତ ଗୁରୁ ପ୍ରଦୀପ ଦାସ, ନିମାକାନ୍ତ ରାଉତରାୟ ଓ ହରପ୍ରିୟା ସ୍ୱାଇଁ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କ ମୂଲ୍ୟାୟନ କରିଥିଲେ I 30 ରୁ ଅଧିକ ପ୍ରତିଯୋଗୀ ଶ୍ରୀଜଗନ୍ନାଥ ଭଜନ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I
ଚଳିତବର୍ଷ ସବ ଜୁନିଅର ବର୍ଗରେ ଆଦିତ୍ୟ ପ୍ରସାଦ ସାହୁ ଓ ସାଇ ଶ୍ରୋୟାଂଶୁ ନାୟକ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଆହାନା ସ୍ବାଇଁ ଦ୍ବିତୀୟ ଏବଂ ସୌମ୍ୟଜିତ ସାମନ୍ତରାୟ ତୃତୀୟ ସ୍ଥାନ ଦଖଲ କରିଥିଲେ । ଜୁନିଅର ବର୍ଗରେ ସଂସ୍କୃତି ଶର୍ମା ପ୍ରଥମ, ଦେବାଶୀଷ ଦଳେଇ ଦ୍ବିତୀୟ ଏବଂ ଦିବ୍ୟାଶା ପଟ୍ଟନାୟକ ତୃତୀୟ ସ୍ଥାନ ହାସଲ କରିଥିଲେ । ସିନିଅର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ ଅଭିଷେକ ରାୟ, ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ସନ୍ଦୀପ କୁମାର ସାହୁ ଏବଂ ସତ୍ୟ ଶୁଭମ୍ ପାତ୍ର ତୃତୀୟ ସ୍ଥାନ ହାସଲ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା I ଏଥିସହିତ ଗତବର୍ଷ ଜଗନ୍ନାଥ ହୋ .. 2021 ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଗତବର୍ଷ ସବ ଜୁନିଅର ବର୍ଗରେ ସିଦିଷ୍ଣା ବିନ୍ଧାଣୀ ପ୍ରଥମ, ଦିବ୍ୟାଂଶୁ ଶେଖର ସାହୁ ଦ୍ବିତୀୟ ଏବଂ ଆଦ୍ୟା ବେଉରା ତୃତୀୟ ସ୍ଥାନ ହାସଲ କରିଥିଲେ । ଜୁନିଅର ବର୍ଗରେ ଆକାଂକ୍ଷା ସାହୁ ପ୍ରଥମ, ଧୃତିଦୀପା ପାତ୍ର ଦ୍ବିତୀୟ, ଜେ. ମନୀଷ କୁମାର ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିଲେ । ସିନିଅର ବର୍ଗରେ ଅଭିଷେକ ରାୟ ପ୍ରଥମ, ଦୁର୍ଗାଶ୍ରୀ ଷଡଙ୍ଗୀ ଦ୍ବିତୀୟ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେ ।
ସମାରୋହ ଆରମ୍ଭରେ ଭୁବନେଶ୍ବର ଆର୍ଯ୍ୟ ସମାଜର ଲିତା ଦାସ ବେଦପାଠ କରିଥିଲେ । ତକ୍ଷକ ଟିଭି ସମ୍ପାଦକ ଅପୂର୍ଵ କୁମାର ମହାନ୍ତି ସ୍ୱାଗତ ସୂଚନା ଦେଇଥିବା ବେଳେ ଆସୋସିଏଟ ଏଡିଟର ଯମୁନା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମଧୁମିତା ମହାନ୍ତି I

LEAVE A REPLY

Please enter your comment!
Please enter your name here