ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଜୁଲାଇ 26 ତାରିଖରୁ ଖୋଲିବ ସ୍କୁଲ । ତେବେ ପ୍ରଥମେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦେଇଛନ୍ତି ସରକାର । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶନାମା ପ୍ରଯୁଜ୍ୟ । ତେବେ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ, ସେହି ସ୍କୁଲଗୁଡିକ ପରୀକ୍ଷା ପରେ ଖୋଲିବ । ତେବେ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ପିଲାମାନେ ସ୍କୁଲ ଆସିବା ସେମାନଙ୍କର ଇଚ୍ଛାଧୀନ ବ୍ୟାପାର । ସ୍ବାସ୍ଥ୍ୟଗତ ନିରାପତ୍ତା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ଓ୍ବାସ୍, ସାନିଟାଇଜେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତି ସ୍ବାଭାବିକ ହେଲେ ଅଗଷ୍ଟ 16 ତାରିଖ ଠାରୁ ନବମ ଶ୍ରେଣୀ ଖୋଲାଯିବ । ସ୍କୁଲ ଟାଇମିଂ ସକାଳ 10 ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପିଲାମାନେ ଘରକୁ ଆସି ମଧ୍ୟାହ୍ନ ଭୋଜନ କରିପାରିବେ । ସ୍କୁଲ ଟାଇମିଂରେ ଏବେ ଟିଫିନ୍ ବ୍ରେକ ରହିବନି । ସ୍କୁଲ ଖୋଲିବା ସଂପର୍କରେ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସତ୍ତ୍ବେ କରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ଜିଲ୍ଲାପାଳଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି । ଅଧିକ ସଂକ୍ରମଣ ବଢିଲେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ଓ ବନ୍ଦ ରଖିବା ସଂପର୍କରେ ନିଷ୍ପତ୍ତି ନେଇପାରିବେ ।

ଅଫ ଲାଇନ ମାଟ୍ରିକ ପରୀକ୍ଷା କୋଭିଡ କଟକଣା ଭିତରେ କରିବାକୁ ସରକାର ପଦକ୍ଷେପ ନେଇଥିବା ଶ୍ରୀ ସାହୁ କହିଛନ୍ତି । ଅଫଲାଇନ ପରୀକ୍ଷା ପାଇଁ 15 ହଜାର 115 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସଂପୂର୍ଣ୍ଣ କୋଭିଡ ଗାଇଡଲାଇନ ଭିତରେ ପରୀକ୍ଷା କରାଯିବ । ବିନା ମାସ୍କରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ । ଅଗଷ୍ଟ 22 ସୁଦ୍ଧା ଅଫ ଲାଇନ ମାଟ୍ରିକ ଫଳ ପ୍ରକାଶ କରାଯିବ ।

LEAVE A REPLY

Please enter your comment!
Please enter your name here