ତୃତୀୟ ପର୍ଯ୍ୟାୟ ଲଢେଇ ପାଇଁ ପ୍ରସ୍ତୁତ କ୍ଷେତ୍ର । ଆଉ ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ହେବ ଫାଇଟ୍ । ସମ୍ବଲପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର, କଟକ, ଓ କେନ୍ଦୁଝର ଲୋକସଭା ଆସନ ଏବଂ ଏହାର ଅନ୍ତର୍ଗତ ବିଧାନସଭା ଆସନ ଗୁଡିକରେ ହେବ କଡା ଟକ୍କର । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ଖରାକୁ ଖାତିର ନକରି ଜୋରସୋରରେ ପ୍ରଚାର ଚଳାଇଥିଲେ ବହୁ ହେଭିୱେଟ ।
୨୩ରେ ହେବାକୁ ଥିବା ନିର୍ବାଚନରେ ଭାଗ୍ୟ ପରଖିବାକୁ ଯାଉଛନ୍ତି ପୁରୀର ଲୋକସଭା ଆସନ ପ୍ରାର୍ଥୀ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ ପାତ୍ର ଏବଂ କଂଗ୍ରେସର ସତ୍ୟ ପ୍ରକାଶ ନାୟକ ।
ସେହିପରି ସମ୍ବଲପୁରରେ ବିଜେଡିରୁ ନଳୀନିକାନ୍ତ ପ୍ରଧାନ, ବିଜେପିରୁ ନିତେଶ ଗଙ୍ଗଦେବ ଏବଂ କଂଗ୍ରେସର ଶରତ ପଟ୍ଟନାୟକଙ୍କ ମଧ୍ୟରେ ମୁକାବିଲା ହେଉଥିବା ବେଳେ ଭୁବନେଶ୍ୱରରେ ବିଜେଡିରୁ ଅରୁପ ପଟ୍ଟନାୟକ, ବିଜେପିରୁ ଅପରାଜିତା ଷଡଙ୍ଗୀ ଏବଂ ସିପିଆଇରୁ ଜନାର୍ଦ୍ଦନ ପତିଙ୍କ ମଧ୍ୟରେ କଡା ଟକ୍କର ହେବ ।
ଢେଙ୍କାନାଳରୁ ବିଜେଡିର ମହେଶ ସାହୁ, ବିଜେପିର ରୁଦ୍ର ନାରାୟଣ ପାଣି ଏବଂ କଂଗ୍ରେସରୁ କେପି ସଂଦେଓ ଲଢୁଥିବା ବେଳେ କଟକ ଲୋକସଭା ଆସନରେ ବିଜେଡିରୁ ଭର୍ତ୍ତୁହରି ମହତାବ, ବିଜେପିରୁ ପ୍ରକାଶ ମିଶ୍ର ଏବଂ କଂଗ୍ରେସରୁ ପଞ୍ଚାନନ କାନୁନଗୋଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।
କେନ୍ଦୁଝରରେ ବିଜେଡିରୁ ଚନ୍ଦ୍ରାଣି ମୁର୍ମୁ, ବିଜେପିର ଅନନ୍ତ ନାୟକ ଏବଂ କଂଗ୍ରେସର ଫକୀର ମୋହନ ନାୟକଙ୍କ ଭାଗ୍ୟ ନିଣ୍ଣୟ ହେବାକୁ ଯାଉଛି ।
ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ବିଜେଡିର ଅଶୋକ ପଣ୍ଡା, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୌମ୍ୟରଂଜନ ପଟନାୟକ, ପ୍ରଦୀପ ମହାରଥୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଦେବାଶୀଷ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା । ବିଜେପିର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସମୀର ଦେ, କୃଷ୍ଣପ୍ରସାଦ ପାତ୍ର, ଅପରାଜିତା ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସେହିପରି କଂଗ୍ରେସର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ନିରଞ୍ଜନ ପଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ । ସେହିପରି ଏଥର ନିର୍ବାଚନରେ ପୁଅମାନଙ୍କୁ ମଇଦାନକୁ ଓହ୍ଲାଇଥିବା ଦୁଇ ହେଭିୱେଟ ନେତା ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ଏବଂ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର ।

LEAVE A REPLY

Please enter your comment!
Please enter your name here