କରୋନା ମୁକାବିଲା ଦିଗରେ ଓଡିଶା ସରକାରଙ୍କ ରଣନୀତି ପ୍ରଶଂସନୀୟ I ଦେଶବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଅନ୍ୟରାଜ୍ୟରେ ବେଶ୍ ପ୍ରଶଂସା କରାଯାଉଛି I କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରମାନେ କରୋନା ବିରୋଧରେ କିଛି ଠୋସ୍ ପଦକ୍ଷେପ ନେବା ଆଗରୁ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟରେ କଟକଣା ଆରମ୍ଭ କରିଦେଇଥିଲେ I ବିଦେଶରୁ ଫେରିଥିବା ନାଗରିକଙ୍କ ନାମ ପଂଜିକରଣ ବାଧ୍ୟତାମୂଳକ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିଲେ I ଯାହାଫଳରେ ବିଦେଶ ଫେରନ୍ତା ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା I ବିଧାନସଭାକୁ ମୁଲତବୀ ଘୋଷଣା କରି କରୋନା ମୁକାବିଲା ପାଇଁ ପୁରା ଦମରେ ଲାଗିପଡିଥିଲେ I ସରକାରୀ ଅଫିସଗୁଡିକରେ କର୍ମଚାରୀଙ୍କ ଯୋଗଦାନକୁ କାଣ୍ଟଛାଣ୍ଟ କରିଦେଇଥିଲେ I କେନ୍ଦ୍ର ସରକାର ଜନତା କର୍ଫ୍ୟୁ ଘୋଷଣା କରିବା ନବୀନ ମାର୍ଚ୍ଚ 29 ତାରିଖ ଯାଏଁ ଲକ୍ ଡାଉନ ଘୋଷଣା କରିଥିଲେ I କେବଳ ସେତିକି ନୁହେଁ, ଯୁଦ୍ଧକାଳୀନ ଭିତ୍ତିରେ ଟୋଲ୍ ଫ୍ରି ନମ୍ବର ଜାରି କରିବାରେ ଓଡିଶା ଆଗରେ ରହିଥିଲା I କୋଭିଡ 19 ମୁକାବିଲା ପାଇଁ ସରକାର ଗଠନ କରିଥିବା ଟିମ୍ ସରକାରୀ ବିଭିନ୍ନ ସମୟରେ ତ୍ବରିତ ନିଷ୍ପତ୍ତି ନେବା ଓ କାର୍ଯ୍ୟକାରୀ କରିବାକୁ ସାଧାରଣ ଲୋକେ ମଧ୍ୟ ଗ୍ରହଣ କରିଛନ୍ତି I ସମ୍ଭାବ୍ୟ କରୋନା ସଂକ୍ରମଣ ଆଶଙ୍କାରେ ଘରୋଇ ହସପିଟାଲ ସହ ବୁଝାମଣା କରି 1150 ଶଯ୍ୟାର ସ୍ବତନ୍ତ୍ର କରୋନା ହସପିଟାଲ କରିବା ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି I ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ହାର ବଢୁଥିବାକୁ ନଜରରେ ରଖି ଭୁବନେଶ୍ବର ସମେତ କଟକ ଓ ଭଦ୍ରକକୁ ଦୁଇଦିନ ପାଇଁ ସଟଡାଉନ କରିବା, ସଂକ୍ରମିତ ଅଞ୍ଚଳକୁ ସିଲ୍ କରିବା ଭଳି ନିଷ୍ପତ୍ତି ସରକାରଙ୍କ କରୋନା ମୁକାବିଲା ଦିଗରେ ବଳିଷ୍ଠ ପଦକ୍ଷେପ ଭାବେ ବିବେଚନା କରାଯାଉଛି I ପ୍ରତିଦିନ ରାଜ୍ୟର ସ୍ଥିତି ଓ ସରକାରଙ୍କ ପଦକ୍ଷେପ ସଂପର୍କରେ କୋଭିଡ 19 ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ ଲୋକଙ୍କ ପାଇଁ ବେଶୀ ଗ୍ରହଣୀୟ ହୋଇଛି I ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସରକାରୀସ୍ତରରେ ନିଷ୍ପତ୍ତି ଏବଂ ତାର ରୂପାୟନ ଦିଗରେ ବଳିଷ୍ଠ ସମନ୍ବୟ ରହୁଥିବା ଲକ୍ଷ୍ୟ କରାଯାଉଛି I ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା 21ରେ ପହଞ୍ଚିଥିଲେ ହେଁ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଲୋକେ ସହଯୋଗ କରୁଥିବାରୁ କରୋନା ମୁକାବିଲା ଦିଗରେ ଅନ୍ୟରାଜ୍ୟ ତୁଳନାରେ ଓଡିଶା ନିଶ୍ଚିତ ଭାବେ ସଫଳ ହେବ ବୋଲି ଆଶା କରାଯାଉଛି I

LEAVE A REPLY

Please enter your comment!
Please enter your name here