ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ସୋମବାର ଦିନ ଜଣାଶୁଣା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ତଥା ଚିତ୍ରନାଟ୍ୟ ଲେଖକ ଏସ୍.କେ. ମୁରଲୀଧରନ୍ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ମନୋରଞ୍ଜନ ଜଗତ ସ୍ତବ୍ଧ ହୋଇପଡ଼ିଛି। କେଉଁ ପରିସ୍ଥିତିରେ ଏବଂ କିଭଳି ଭାବେ ତାଙ୍କର ମୃତ୍ୟୁ ଘଟିଲା, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏସ୍.କେ. ମୁରଲୀଧରନ୍ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ତଥା ସଫଳ ସ୍ରଷ୍ଟା ଥିଲେ। ନିର୍ଦ୍ଦେଶନା ସହ ନୃତ୍ୟ ନିର୍ଦ୍ଦେଶନା ଏବଂ ସ୍କ୍ରିପ୍ଟ ଲେଖାରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା। ସେ କେବଳ ଓଡ଼ିଆ ସିନେମା ନୁହେଁ, ବରଂ ତାମିଲ, ତେଲୁଗୁ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ ମଧ୍ୟ ନିଜର ଯୋଗଦାନ ଦେଇଥିଲେ। ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ଛାତି ଚିରି ଦେଲେ ତୁ’। ଏହା ପରେ ସେ ‘ତୋ ଆଖିରେ ମୁଁ’, ‘କିଏ ଦବ ଟକ୍କର’ ଏବଂ ‘ନୂଆ ନୂଆ ପ୍ରେମରେ’ ଭଳି ଅନେକ ଲୋକପ୍ରିୟ ଓ ହିଟ୍ ସିନେମାର ସଫଳ ନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ମନ ଜିଣିଥିଲେ।ତାଙ୍କର ଅକାଳ ବିୟୋଗରେ ସମଗ୍ର ସିନେ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ହୃଦ୍ଘାତ ଯୋଗୁ ଏସ୍କେ ମୁରଲୀଧରନ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।ପୁଲିସ ବର୍ତ୍ତମାନ ହୋଟେଲ ରୁମ୍କୁ ସିଲ୍ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।











