ଦଳରୁ ଦାମ ରାଉତଙ୍କୁ ବାହାର କରିବା ପାଇଁ ବିଜେଡିର ମାଷ୍ଟର ପ୍ଲାନ. ପ୍ରଥମେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେଲେ. ନବୀନ ନିବାସରେ ଭେଟି ସେମାନେ ଅଭିଯୋଗ କଲେ ଦାମ ବାବୁଙ୍କ ବିରୋଧରେ. ଦାମବାବୁ ଦଳକୁ ଅଡୁଆରେ ପକାଇବା ଭଳି ବୟାନବାଜି କରୁଛନ୍ତି ବୋଲି ସେମାନଙ୍କ ଠାରୁ ନବୀନ ଲିଖିତ ଅଭିଯୋଗ ରଖିଲେ. ଏପରିକି ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦାବି କଲେ ଦୁଇ ନେତା ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ।
ସୋମବାର ଦିନ ଏହି ଦୁଇ ନେତା ନବୀନଙ୍କୁ ଭେଟିବା ପରେ ମଙ୍ଗଳବାର ଦିନ ପାରାଦୀପ ଓ ଏରସମାର ଶତାଧିକ ଦଳୀୟ କର୍ମୀଙ୍କୁ ଦାମବାବୁଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଭୁବନେଶ୍ବର ଅଣାଯାଇଛି. ତିନି ତୁଣ୍ଡରେ ଛେଳି କୁକୁର କହିବା ଭଳି ଦାମବାବୁଙ୍କ ବିରୋଧରେ ମଧ୍ୟ ସେମାନେ ସେହି ଏକାପ୍ରକାର ଅଭିଯୋଗ କରିବେ ଓ ଦଳରୁ ବହିଷ୍କାର କରିବାକୁ ଦାବି କରିବେ. ଦାମ ବାବୁଙ୍କୁ ବହିଷ୍କାର ପାଇଁ ଦଳର ଯୁବ ମଙ୍ଗୁଆଳମାନେ ସ୍କ୍ରିପ୍ଟ ଲେଖିସାରିଛନ୍ତି . ତୃତୀୟ ମହଲାର ନିର୍ଦ୍ଦେଶନାରେ ଏବେ ଦାମଙ୍କୁ ବହିଷ୍କାର କରିବା ପାଇଁ ସ୍କ୍ରିନ ପ୍ଲେ ହେଉଛି. ପ୍ରଥମେ ଲିଖିତ ଲମ୍ବା ଅଭିଯୋଗ ଫର୍ଦ୍ଦ ଦାଖଲ ପରେ ଘଟଣାର ତଦନ୍ତ ପାଇଁ ଜଣେ ନେତାଙ୍କୁ ନବୀନ ଦାୟିତ୍ବ ଦେବେ. ଦାମବାବୁଙ୍କୁ ସଫେଇ ଦେବା ପାଇଁ ସୁଯୋଗ ବି ଦିଆଯିବ. ତା ପରେ ଦଳରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିଲମ୍ବନ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ. ତେବେ ଏସବୁ ମାଷ୍ଟରପ୍ଲାନ ସଂପର୍କରେ ଦାମବାବୁ ବି ଜାଣିଛନ୍ତି. ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇ ଦାମବାବୁ ବି ବେଫିକର. ଦାମ ବାବୁଙ୍କ ତୁଣ୍ଡ ସେମିତି ଖରସ୍ରୋତା ନଦୀ ପରି ଏବେ ଖର ଖର ହେଉଛି. ଦାମବାବୁ କହିଛନ୍ତି, ରାତିଅଧରେ ମୋତେ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ଏପରିକି ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବାଦ ଦିଆଯାଇଛି । ସେତେବେଳେ ମୁଁ ନବୀନଙ୍କ ପାଖକୁ ଯାଇନଥିଲି । ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ ମୋର କିଛି ଆପତ୍ତି ନାହିଁ । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । ଯେପର୍ଯ୍ୟନ୍ତ ନିର୍ବାଚନମଣ୍ଡଳି ଲୋକେ ଚାହୁଁଥିବେ, ସେ ନିର୍ବାଚନ ଜିତି ଆସୁଥିବେ. ଏବେ ବିଜେଡିର ଦାମ ବହିଷ୍କାର ନାଟକର ଶେଷ ଦୃଶ୍ୟକୁ ଦେଖିବାକୁ ଅପେକ୍ଷା.

LEAVE A REPLY

Please enter your comment!
Please enter your name here