ରବିବାର ରାତିରେ ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି ନିକଟରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଂ ଧକ୍କାରେ 12 ଜମଙ୍କ ଜୀବନ ଚାଲିଯିବା ପରେ ଖଣ୍ଡଦେଉଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସଂପର୍କୀୟ ହେଉଛନ୍ତି 11 ଜଣ । ରେଣୁବାଳାଙ୍କ ଦିଅର, ଝିଆରୀ, ଝିଆରୀ ଜ୍ବାଇଁ, ନଣନ୍ଦେଇ ଅଛନ୍ତି । ବ୍ରହ୍ମପୁରରୁ ବାହାଘର ସାରି ଏକ ଘରୋଇ ବସରେ 25 ଜଣ ଯାତ୍ରୀ ଆସୁଥିବା ବେଳେ ଖେମୁଣ୍ଡି ନିକଟରେ ବିପରିତ ପଟୁ ଆସୁଥିବା ଓଏସଆରଟିସି ବସ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଠଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ଘରୋଇ ବସର ଯାତ୍ରୀ । ଦିଗପହଣ୍ଡି ଦୁର୍ଘଟଣା ଖବରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭିର ଶୋକପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ତିନି ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା ବୋଲି ଆରଟିଓ କହିଛନ୍ତି । ତେବେ 25 ବର୍ଷର ପୁରୁଣା ଗାଡି ହୋଇଥିବାରୁ ରାତିରେ ଚଳାଇବାକୁ ଅନୁମତି ନ ଥିଲା ବୋଲି କହିଛନ୍ତି । ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here