କିଏ ଦଖଲ କରିବ ଦିଲ୍ଲୀ ମହାନଗର ନିଗମ ? ଆପ୍ ନା ବିଜେପି ? 15 ବର୍ଷ ଧରି ବିଜେପି ଦଖଲରେ ଥିବା ଏମସିଡିକୁ ଆମ ଆଦମୀ ପାର୍ଟି ଛଡାଇ ଆଣିବ କି ?

ଦିଲ୍ଲୀ ମହାନଗର ଦଖଲ କରିବା ପାଇଁ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର । 250 ଓ୍ବାର୍ଡ ମଧ୍ୟରୁ ଦିନ ସାଢେ 11ଟା ସୁଦ୍ଧା ମିଳିଥିବା ଗଣତି ଟ୍ରେଣ୍ଡରେ ବିଜେପିକୁ ପଛରେ ପକାଇ ଆପ୍ ଆଗରେ ରହିଛି । 89ଟି ଆସନର ଫଳାଫଳ ପ୍ରକାଶ ପାଇଛି । ଆମ୍ ଆଦମୀ ପାର୍ଟି 45 ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି 39ଟି ଆସନରେ ଏବଂ କଂଗ୍ରେସକୁ 4ଟି ଆସନ ମିଳିଛି । ଗୋଟିଏ ଆସନ ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି । ସେହିପରି 124ଟି ଆସନର ଟ୍ରେଣ୍ଡରେ ଆପ୍ 111ଟି ଓ୍ବାର୍ଡରେ ଆଗରେ ରହିଛି ।

ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, ଆପ୍ 155ଟି ଓ୍ବାର୍ଡରେ ଏବଂ ବିଜେପି 84ଟି ଓ୍ବାର୍ଡରେ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀ ମହାନଗରରେ ବିଜୟ ସମ୍ଭାବନା ନିଶ୍ଚିତ ଜଣାପଡିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରେ ମନୀଷ ସିସୋଦିଆ, ରାଘବ ଚଡା ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ପହଞ୍ଚିଛନ୍ତି । ତେବେ ଅଧିକାଁଶ ଓ୍ବାର୍ଡରେ କଡା ଟକ୍କର ଚାଲିଥିବା ଯୋଗୁ ଗଣତି ଶେଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ବିଜେପି କହିଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ବିଜେପି ଗତ 24 ବର୍ଷ ଧରି ଦିଲ୍ଲୀ ବିଧାନସଭା ଦଖଲ କରିବାରେ ବିଫଳ ହୋଇଥିଲେ ହେଁ ଦିଲ୍ଲୀ ମହାନଗର ନିଗମରେ ନିଜର ପତିଆରା ରଖି ଆସିଥିଲା । ଏପରିକି 2015 ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି 70 ଆସନରୁ 67ଟିରେ ବିଜୟ ଲାଭ କରିଥିବା ବେଳେ ଦୁଇବର୍ଷ ପରେ ଅନୁଷ୍ଠିତ ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପି 272 ଆସନରୁ 181ଟି ବିଜୟ ଲାଭ କରିଥିଲା । ଆପକୁ ମାତ୍ର 48ଟି ଓ୍ବାର୍ଡ ମିଳିଥିଲା ।

LEAVE A REPLY

Please enter your comment!
Please enter your name here