ରବିବାର ଦିନ ବିଦେଶ ଗସ୍ତ ସାରି ଫେରିଥିଲେ ଏମ୍.ଜେ. ଆକବର । ସେତେବେଳେ ତାଙ୍କ ବିରୋଧରେ ଦେଶରେ ମିଠୁ ଅଭିଯାନର ଯୌନ ନିର୍ଯାତନା ନିଆଁ ଲାଗି ସାରିଥିଲା । ସୋସିଆଲ ମିଡ଼ିଆରେ ଅସଦାଚରଣ ନେଇ ମୁହଁ ଖୋଲି ସାରିଥିଲେ ପାଖାପାଖି ୨୦ଜଣ ମହିଳା ସାମ୍ବାଦିକା । ବିରୋଧୀ ବି କେନ୍ଦ୍ରମନ୍ତ୍ରୀଙ୍କର ଇସ୍ତଫା ଦାବି ଦୋହରାଉଥିଲେ । ସରକାର କିନ୍ତୁ ଥିଲେ ମୌନ । ସେଇଟା ଆକବରଙ୍କର ବ୍ୟକ୍ତିଗତ ମାମଲା କହି ଉଭୟ କେନ୍ଦ୍ର ସରକାର ଓ ବିଜେପି ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଉ ନଥିଲା । ଇସ୍ତଫା ଦେବେ ନାହିଁ ବୋଲି ଏକପ୍ରକାର ଦମ୍ଭ ବି ଦେଖାଇଥିଲେ ଆକବର । ଆଇନର ଆଶ୍ରୟ ନେଲେ । କିନ୍ତୁ ହଠାତ୍ ଏମିତି କ’ଣ ହେଲା କେଜାଣି ସ୍ୱଦେଶ ଫେରିବାର ୭୨ ଘଣ୍ଟା ଭିତରେ ସେ ମନ୍ତ୍ରୀ ପଦ ଛାଡ଼ିଲେ । ପ୍ରଶ୍ନ ଉଠିଛି, ଆକବରଙ୍କ ଇସ୍ତଫା ଦେବାର କାରଣ କ’ଣ ହୋଇପାରେ ?
ମିଠୁ ମୁଭମେଣ୍ଟରେ ଏମ୍.ଜେ. ଆକବରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିବା ପରେ ବିଜେପି ଯଦିଓ ବ୍ୟକ୍ତିଗତ ମାମଲା କହି ଏଡାଇ ଚାଲିଥିଲା, କିନ୍ତୁ ଧୀରେ ଧୀରେ ଘଟଣା ଭିନ୍ନ ମୋଡ ବି ନେଉଥିଲା । କାରଣ ଆକବରଙ୍କ ନାଁରେ ସୋସିଆଲ ମିଡ଼ିଆରେ ଏକ ପ୍ରକାର ମୋର୍ଚ୍ଚା ଖୋଲି ଦେଇଥିଲେ ବିରୋଧୀ । ଯାହାକି ସରକାର ଓ ବିଜେପି ପାଇଁ ବୁମେରାଂ ହୋଇ ଥାଆନ୍ତା । କାରଣ ଆଗକୁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ । କୁହାଯାଉଛି କୌଣସି ରିସ୍କ ନେବାକୁ ଚାହିଁଲେ ନାହିଁ ବିଜେପି କୋର୍ ଟିମ୍ । ପ୍ରଧାନମନ୍ତ୍ରୀ ବି କୁଆଡେ ହସ୍ତକ୍ଷେପ କଲେ । ମଙ୍ଗଳବାର ଦିନ କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏମ୍.ଜେ.ଆକବରଙ୍କୁ ଭେଟିଥିଲେ। ଚର୍ଚ୍ଚା ହେଉଛି, ସେ କୁଆଡେ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ସମ୍ପର୍କରେ ଆକବରଙ୍କୁ ଜଣାଇଥିଲେ। ଆକବର ବୈଦେଶିକ ମନ୍ତ୍ରୀ ଥିବାରୁ ସରକାରୀ ସାକ୍ଷାତକାର‌ ବୋଲି ସେତେବେଳେ କୁହାଯାଇଥିଲା । କିନ୍ତୁ ବୁଧବାର ଆକବର ମନ୍ତ୍ରୀ ପଦରୁ ଦୂରେଇ ଯିବା ପରେ କୁହାଯାଉଛି କି ମଙ୍ଗଳବାର ହିଁ ଇସ୍ତଫାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଥିଲା । କେନ୍ଦ୍ରରେ ମୋଦିଙ୍କ ନେତୃତ୍ଵାଧୀନ ସାଢ଼େ ୪ବର୍ଷର ସରକାରରେ ପ୍ରଥମ ମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି ଏମ୍.ଜେ. ଆକବର ।

ଏମିତି ବି ଏମ୍.ଜେ. ଆକବର ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିଲେ। ସେଠାରେ ଆଗକୁ ବିଧାନସଭା ନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି । ଏହି ପ୍ରସଙ୍ଗରେ ବିଜେପିକୁ ଘେରିବା ପାଇଁ ବିରୋଧୀଙ୍କୁ ଆଉ ଗୋଟିଏ ମୌକା ମିଳି ଯାଇଥିଲା । ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ମଧ୍ୟପ୍ରଦେଶ ନିର୍ବାଚନ ସମ୍ପର୍କିତ ଏକ ଭିଡିଓ । ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନାରୀ ଶକ୍ତି ଉପରେ ଟିପ୍ପଣୀ ଦେଉଥିଲେ । ସେତେବେଳେ ଆକବରଙ୍କ ସମ୍ପର୍କରେ ପଚରା ଯିବାରୁ ଚୁପ୍ ରହିଥିଲେ ସମ୍ବିତ ପାତ୍ର । ମିଡ଼ିଆକୁ ଏଡାଇ ଯାଇଥିଲେ । ଆକବରଙ୍କ ପାଇଁ ସରକାର ଓ ବିଜେପିକୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଲା । ଶେଷରେ ସରକାର ଅନୁଭବ କରିଥିଲେ ଯେ, ଆକବରଙ୍କ ବିରୋଧରେ ଆସିଥିବା ଅସଦାଚରଣ ଅଭିଯୋଗକୁ ବ୍ୟକ୍ତିଗତ ମାମଲା ଦର୍ଶାଇ ଅଣଦେଖା କଲେ ଆଗକୁ ଗମ୍ଭୀର ପରିସ୍ଥିତି ସାମ୍ନା କରିବାକୁ ପଡିପାରେ । ସେହିପରି ସରକାର ମହିଳା ବିରୋଧୀ ନୁହନ୍ତି, ଏହି ବାର୍ତ୍ତା ବି ଦେବାର ଥିଲା । ଏହା ବ୍ୟତୀତ ଏମ୍.ଜେ.ଆକବର ଯେଉଁ ଭଳି ଭାବରେ କୋର୍ଟରେ ମାମଲା ରୁଜୁ କଲେ ତାହା ବି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରତି ଠିଆ କରିଥିଲା ଆଉ ଏକ ପ୍ରଶ୍ନବାଚୀ । ଲାଗୁଥିଲା ସରକାର ପ୍ରଚ୍ଛଦପଟରୁ ଆକବରଙ୍କୁ ସମର୍ଥନ କରୁଛନ୍ତି । ଏସବୁ ଅଡ଼ୁଆ ସୂତାକୁ ଛିଣ୍ଡାଇବା ପାଇଁ ଚାହୁଁଥିଲେ ଉଭୟ କେନ୍ଦ୍ର ସରକାର ଓ ବିଜେପି । ଆକବର କରିଥିବା ମାମଲାର ଆଜିଠୁ ଶୁଣାଣି ହେବ। ଅନ୍ତତଃ ତାପୂର୍ବରୁ ସରକାର ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହିଁଲେ ଯେ କୌଣସି ପରିସ୍ଥିତିରେ ଏହି ମାମଲାରେ ଏମ୍.ଜେ. ଆକବରଙ୍କ ସହ ନାହାନ୍ତି । ମିଠୁ ମୁଭମେଣ୍ଟରେ ଯେବେଠୁ ଏମ୍.ଜେ.ଆକବରଙ୍କ ନାଁରେ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆସିଛି, ସେବେଠୁ ଉଭୟ ସରକାର ଓ ବିଜେପି ଶିବିରରେ ବି ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ଏପରିକି ସରକାରରେ ଗୋଟିଏ ଗୋଷ୍ଠୀ ତୁରନ୍ତ ଆକବର ମନ୍ତ୍ରୀ ପଦରୁ ଓହରି ଯାଆନ୍ତୁ ବୋଲି ଭିତରେ ଭିତରେ ଦାବି କରୁଥିଲେ । ସେହିପରି କେନ୍ଦ୍ର କ୍ୟାବିନେଟ ବୈଠକ ବେଳେ ବି ଏହି ପ୍ରସଙ୍ଗରେ କିଛି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି କୁହାଯାଉଛି । ଶେଷରେ ମିଠୁରେ ଏମ୍.ଜେ. ଆକବରଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା । ଭାରତରେ ମିଠୁ ମୁଭମେଣ୍ଟରେ ପ୍ରଥମେ ସାମ୍ବାଦିକା ପ୍ରିୟା ରାଣୀ ଏମ୍.ଜେ.ଆକବରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ସାହସ ଜୁଟାଇ ମୁହଁ ଖୋଲିଥିଲେ । ସେତେବେଳେ କିଛି ଖବରକାଗଜର ସମ୍ପାଦକ ପଦବୀରେ ଥିଲେ ଆକବର । ପ୍ରିୟାଙ୍କ ପରେ ଆଉ କିଛି ମହିଳା ସାମ୍ବାଦିକା ସମାନ ଅଭିଯୋଗ ଆଣିଛନ୍ତି । ହଲିଉଡରୁ ବଲିଉଡ ଓ ପରେ ପଲିଟିକ୍ସରେ ପଶିଛି ମିଠୁ ମୁଭମେଣ୍ଟ । ଏହାର ଚକ୍ରବ୍ୟୁହରେ ଫସିଛନ୍ତି ସାମ୍ବାଦିକରୁ ରାଜନେତା ସାଜିଥିବା ଏମ୍.ଜେ. ଆକବର ।

LEAVE A REPLY

Please enter your comment!
Please enter your name here