ଆକାଶରେ ମେଘ ଭର୍ତ୍ତି । ଭେଳା ଭେଳା ବାଦଲ ସାଙ୍ଗରେ ଯେମିତି ଲୁଚକାଳି ଖେଳୁଛନ୍ତି ସୂର୍ଯ୍ୟ । ମେଘଭର୍ତ୍ତି ଆକାଶକୁ ଚାହିଁ ଆଶ୍ୱସ୍ତ ହେଉଛନ୍ତି ଚାଷୀକୁଳ, ବୃକ୍ଷଲତା ଓ ପ୍ରାଣୀଜଗତ । ମାତ୍ର ବର୍ଷାର ଦେଖା ନାହିଁ । ଖରାଦିନ ଭଳି ଡହ ଡହ ଖରାରେ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏମିତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ରାଜ୍ୟରେ । ପାଣିପାଗ ବିଭାଗ ସ୍ପଷ୍ଟ କରିଛି, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଖରା ଏବଂ ଗୁଳୁଗୁଳିରୁ ନିସ୍ତାର ନାହିଁ । ମୌସୁମୀ ଦୁର୍ବଳ ଯୋଗୁଁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ । ୨୪ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୨୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ପରେ ପୁଣି ବର୍ଷା କମିବ । ମାତ୍ର ବର୍ଷା ହେବାର ସମ୍ଭାବନାକୁ ଅପେକ୍ଷା କଲାବେଳକୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗଜା ମରୁଡି ପରିସ୍ଥିତି ଦେଖାଦେଲାଣି । ଜୁନ୍ ୧ ତାରିଖରୁ ଜୁଲାଇ ୨୨ତାରିଖ ସୁଦ୍ଧା ୩୧ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୨୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ଗଜପତି, ବାଲେଶ୍ୱର , ରାୟଗଡା, ଅନୁଗୁଳ , ବଲାଙ୍ଗିର, ସୋନପୁର ଓ ମୟୁରଭଞ୍ଜରେ ୪୦ ପ୍ରତିଶତରୁ କମ ବର୍ଷା ହୋଇଛି । ଅନ୍ୟପଟେ ବର୍ଷା ଅଭାବରୁ ତାପମାତ୍ରା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here