ନେପାଳରେ ଚାଲୁଥିବା ବିରୋଧ ମଧ୍ୟରେ ଏକ ଭିଡିଓ ଭାଇରାଲ୍ ହୋଇଛି। କିଛି ଲୋକଙ୍କୁ ହେଲିକପ୍ଟରରେ ଝୁଲିଥିବା ଅବସ୍ଥାରେ ସୁରକ୍ଷିତ ସ୍ଥାନକୁ ନେଇଯାଉଥିବା ଦୃଶ୍ୟ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓ, ସରକାର ବିରୋଧରେ ଚାଲିଥିବା ଅବିରତ ପ୍ରତିବାଦର ସମୟରେ ଆସିଛି। ମଙ୍ଗଳବାର, ପ୍ରଦର୍ଶନକାରୀମାନେ ପୂର୍ବ ୩ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ସୁପ୍ରିମକୋର୍ଟ ଓ ସଂସଦ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରିଥିଲେ। ନେପାଳରୁ ସାମ୍ନାକୁ ଆସିଥିବା ଭିଡିଓରେ କିଛି ଲୋକ ତଳେ ଠିଆ ହୋଇ ପାଟି କରୁଛନ୍ତି । ମଙ୍ଗଳବାର ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ସେନା କିଛି ରାଜନେତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ପ୍ରଦର୍ଶନକାରୀମାନେ ପୂର୍ବ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଏବଂ ତାଙ୍କ ପତ୍ନୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଯେଉଁଠାରେ ସେନା ବହୁ କଷ୍ଟରେ ଦେଉବାଙ୍କ ଜୀବନ ବଞ୍ଚାଇଥିଲା, ତାଙ୍କ ପତ୍ନୀ ଆରଜୁଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ମଙ୍ଗଳବାର ହିମାଳୟ ରାଷ୍ଟ୍ରରେ ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଦ ଛାଡ଼ିଛନ୍ତି । ଏହି ରାଜନୈତିକ ସଙ୍କଟ ଯୋଗୁଁ ନେପାଳୀ ସେନାକୁ ବ୍ୟବସ୍ଥା ବଜାୟ ରଖିବା ଏବଂ ଦେଶର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡ଼ିଛି ।












