ଚର୍ଚ୍ଚା ଆଲୋଚନାର ଅନ୍ତ । କିଏ ପିନ୍ଧିବ ପାଟକୁରା ମୁକୁଟ । ପାଟକୁରାରେ ବିଜୟ ବାଜି ମାରିନେବେ କି । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଆଜି ପଡିଛି ପୂର୍ଣ୍ଣଛେଦ । ପାଟକୁରା ରାଜନୀତିର ଚିତ୍ର ସ୍ପଷ୍ଟ ହୋଇଛି । ଏହି ହେଭିୱେଟ୍ ଆସନରେ ପୂର୍ବତନ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ୧୭,୯୨୦ ଭୋଟରେ ବିଜେପିକୁ ମାତ୍ ଦେଇଛନ୍ତି । ତେବେ ଏହି ଆସନ ପାଇଁ ବିଜେପି ପକ୍ଷରୁ ବହୁ ପ୍ରତିକ୍ଷିତ ନେତା ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦିତା କରୁଥିଲେ । ବିଜେପିର ପରାଜୟ ପରେ ବିଜୟ ମହାପାତ୍ର ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ପାଟକୁରା ନିର୍ବାଚନ ଫଳାଫଳ ନେଇ ବିଜୟ ମହାପାତ୍ର କହିଛନ୍ତି ଯେ, ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଲୋକମତ ମୋ ସପକ୍ଷରେ ଥିଲା । ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡିବ । ଲୋକଙ୍କ ରାୟକୁ ମାନିବାକୁ ପଡିବ । ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି । ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ । ମନ୍ତ୍ରୀ, ନେତା ପାଟକୁରାରେ ଡେରା ପକେଇ ବସିଥିଲେ । କେବଳ ସେତିକୁ ନୁହେଁ ବିଜେଡି ନେତାମାନେ ଘରଘର ବୁଲି ଟଙ୍କା ବାଣ୍ଟୁଥିଲେ । ଭୋଟ କିଣିଥିଲେ । ଲୋକମତ ଭିନ୍ନ ଥିଲା, କଣ ପାଇଁ ଏପରି ହେଲା ତାହା ଅନୁଧ୍ୟାନ କରାଯିବା ଉଚିତ୍ । ଚର୍ଚ୍ଚା ଆଲୋଚନା କରାଯିବା ପରେ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here