ମାଲାୟଲମ ଟିଭି ଚ୍ୟାନେଲ ମିଡିଆ ଓ୍ବାନକୁ ବ୍ୟାନ୍ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି, ସରକାରଙ୍କ ନୀତି ଓ କାର୍ଯ୍ୟକୁ ଟିଭି ଚ୍ୟାନେଲରେ ସମାଲୋଚନା କରାଯାଇପାରିବ । ସରକାରଙ୍କୁ ସମାଲୋଚନା କରିବାର ଅଧିକାର ଲୋକଙ୍କର ରହିଛି । ଏହା ଅର୍ଥ ନୁହେଁ, ସରକାରଙ୍କୁ ସମାଲୋଚନା କରୁଥିବା ଟିଭି ନ୍ୟାନେଲକୁ ଜାତୀୟ ସ୍ବାର୍ଥ ବିରୋଧୀ କହି ସରକାର ବ୍ୟାନ କରିଦେବେ ଅବା ଲାଇସେନ୍ସ ରଦ୍ଦ କରିଦେବେ ।

ସୁରକ୍ଷା ତଥା ନିରାପତ୍ତା କ୍ଲିଅରାନ୍ସ ନ ଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମିଡିଆ ଓ୍ବାନ ଚ୍ୟାନେଲ ଲାଇସେନ୍ସ ନବୀକରଣ କରିବାକୁ ମନା କରିଦେଇଥିଲେ । ଏପରିକି ଗତବର୍ଷରୁ ଏହାର ପ୍ରସାରଣ ବନ୍ଦ ହୋଇଯାଇଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ସବୁ ଟିଭି ଚ୍ୟାନେଲ ସରକାରଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ କରିବେ ବୋଲି ସରକାର ବାଧ୍ୟ କରିପାରିବେ ନାହିଁ । ଗଣମାଧ୍ୟମର ସ୍ବାଧୀନତା ଏକ ଶକ୍ତ ଓ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ସହାୟକ ହୋଇଥାଏ । ସରକାର ସବୁ ତଥ୍ୟକୁ କଭର୍ ସିଲ୍ ଭିତରେ ରଖିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏହି ମାମଲାରେ ସରକାରଙ୍କ ପକ୍ଷରୁ ଟିଭି ଚ୍ୟାନେଲ ବିରୋଧରେ ଜାତୀୟତା ବିରୋଧୀ ଓ ଆତଙ୍କବାଦୀ ଲିଙ୍କ୍ ଭଳି କୌଣସି ତଥ୍ୟ ଉପସ୍ଥାପନ କରାଯାଇ ପାରି ନ ଥିଲା । ସରକାର ଉଦ୍ଦେଶ୍ୟମୂଳକ ଭାବେ ଟିଭି ଚ୍ୟାନେଲ ଲାଇସେନ୍ସ ନବୀକରଣ ନ କରିବା ଭଳି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ମିଡିଆ ଓ୍ବାନ ଭଳି ଆଉ କେତେକ ନ୍ୟୁଜ ଚ୍ୟାନେଲକୁ ମଧ୍ୟ ସରକାର ଲାଇସେନ୍ସ ରିନ୍ୟୁ ଅନୁମତି ଦେଇ ନ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here