ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବଳଭଦ୍ର ଗତ ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ଅଣଦେଖା କରୁଥିବା ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ କେହି ବିଭ୍ରାନ୍ତିକର ତଥ୍ୟ ଦେଉଛି । ତାଙ୍କୁ ଆଉ ଦଳରେ ସ୍ଥାନ ମିଳୁନାହିଁ । ସେ ୭ବର୍ଷ ଧରି ସରକାରୀ ଚାକିରୀ ଛାଡି ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ନବୀନ ଏବଂ ତାଙ୍କ ଭିତରେ ଦୁରତା ବୃଦ୍ଧି ପାଇଛି । ଗତଥର ଅପେକ୍ଷା ସେ ଅଧିକ ପ୍ରତାରିତ ହେଉଛନ୍ତି । ଏଭଳି ସ୍ଥିତିରେ ଆଉ ସେ ଦଳରେ ରହିବା ପାଇଁ ଚାହୁଁନଥିବା କହିଥିଲେ । ଏହାସହ ସେ ନିଜର ଇସ୍ତଫା ପତ୍ରକୁ ନବୀନଙ୍କ ନିକଟକୁ ପଠାଇଥିଲେ ।

ଆଜି ସେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଏହି ଯୋଗଦାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଦି ଉପସ୍ଥିତ ଥିଲେ । ସୁଚନାଅନୁସାରେ, ଗତ କିଛି ଦିନ ତଳେ ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହୋଇଥିବା ବେଳେ ଶୁକ୍ରବାର ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ବରିଷ୍ଠ ନେତା ଦାମ ରାଉତ ମଧ୍ୟ ବିଜେପିର ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here