କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି I ଦୁଇଟି ହସପିଟାଲ ସମ୍ ଓ କିମ୍ସ ସହ ବୁଝାମଣାପତ୍ର ସ୍ବାକ୍ଷର କରି ପ୍ରାୟ ଏକ ହଜାର ବେଡ୍ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି I 15 ଦିନ ମଧ୍ୟରେ ଏ ଦୁଇଟି ହସପିଟାଲ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଯିବେ ବୋଲି କୋଭିଡ 19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି I ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି I ଦେଶରେ ମୃତ୍ୟୁସଂଖ୍ୟା 13 ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 686ରେ ପହଞ୍ଚିଛି I ଏହା ଭିତରେ ଓଡିଶାକୁ ବାହାର ରାଜ୍ୟରେ ଥିବା 84 ହଜାର ଓଡିଆ ଘରକୁ ଫେରିଥିବାରୁ ସେମାନଙ୍କ ମଧ୍ୟରେ କେହି କରୋନା ପଜିଟିଭ ଥିବା ନେଇ ଆଶଙ୍କା କରାଯାଉଛି I ସେମାନଙ୍କୁ ଚିହ୍ନଟ କରି ପଂଚାୟତସ୍ତରରେ ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି I ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗତ 24 ଘଣ୍ଟା ଭିତରେ ଓଡିଶାରେ 380ଟି ମାମଲା ରୁଜୁ ହୋଇଛି I ସେହିପରି କ୍ବାରେଣ୍ଟାଇନ ନିୟମ ଭାଙ୍ଗିଥିବା ଅଭିଯୋଗରେ 10ଟି ଏବଂ ଅନ୍ୟାନ୍ୟ 14ଟି ମାମଲା ରୁଜୁ ହୋଇଛି I ଖବରକାଗଜ ବିତରଣ ପାଇଁ ହକରଙ୍କୁ ସକାଳ ଚାରିଟାରୁ ସାତଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି I

LEAVE A REPLY

Please enter your comment!
Please enter your name here