ଗତକାଲି ଗୋପାଳପୁର ବିଧାୟକଙ୍କ ଗାଡି ଉପରକୁ କାଳି ମାଡ କରାଯିବା, ଅଣ୍ଡା ମାଡ କରିବା ଘଟଣାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜ ସୀମା ଭିତରେ ରୁହନ୍ତୁ । ଜଣେ ଲୋକ ପ୍ରତିନିଧିଙ୍କୁ ସମାଲୋଚନା କରିବାକୁ ତାଙ୍କର ସାହସ ହେଲା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜଣେ ବିଧାୟକଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କ ଉପରକୁ ଅଣ୍ଡା ଓ କାଳି ମାଡ କରାଯିବା ଦୁର୍ଭାଗ୍ୟଜନକ କଥା । ଏଣିକି ପାଣ୍ଡିଆନ ଯୁଆଡେ ଯିବେ କଂଗ୍ରେସ ତାଙ୍କ ଉପରକୁ ଅଣ୍ଡା ଓ କାଳି ମାଡ କରିବ ।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଗତକାଲିର ଘଟଣା ବିଜେଡିର ଅନ୍ତଃକନ୍ଦଳ ହୋଇଥାଇପାରେ । ମାତ୍ର ଯାହାଙ୍କ ଉପରକୁ ପୋଲିସ ଉପସ୍ଥିତିରେ ଅଣ୍ଡା ମାଡ କରାଗଲା, ସେ ଜଣେ ଲୋକ ପ୍ରତିନିଧି । ଲୋକ ପ୍ରତିନିଧିଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପ୍ରଶାସନର ଦାୟିତ୍ବ । ମାତ୍ର ବିଜେଡି ସରକାରରେ ଲୋକ ପ୍ରତିନିଧିଙ୍କର କୌଣସି ସମ୍ମାନ ନାହିଁ । ବିଜେଡି ନେତାଙ୍କ ପାଇଁ ଦୁଇଟି ବିକଳ୍ପ, କ୍ରୀତଦାସ ରୁହ, ନ ହେଲେ ଜେଲ୍ ଯାଅ ବୋଲି ବିଜୟ କହିଛନ୍ତି ।
ପାଣ୍ଡିଆନଙ୍କ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେଡି ସରକାରରେ ଜଣେ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଦେଇ ରାଜ୍ୟ ସାରା ବୁଲେଇବା କଥାକୁ କେହି ହଜମ କରିପାରୁନାହାଁନ୍ତି । ଦଳରେ କଣ ଆଉ କେହି ନେତା ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମୁଖ୍ୟମନ୍ତ୍ରୀ ଏଭଳି କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି ।
ଆଜି ପାଣ୍ଡିଆନଙ୍କ ଗସ୍ତ ସମୟରେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି । ଏପରିକି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯାଉଥିବା ଲୋକଙ୍କୁ ପାଖରୁ ପୋଲିସ ପାଣି ବୋତଲ କାଢି ନେଇଛି ।

LEAVE A REPLY

Please enter your comment!
Please enter your name here