ଚାଲିଯାଇଛି ପ୍ରଳୟଙ୍କରୀ ବାତ୍ୟା ଫନି, କିନ୍ତୁ ଏବେ ବି କଲବଲ ହେଉଛନ୍ତି ଲୋକେ । ବାତ୍ୟା ଫନିକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ଆସି ପାରିନାହିଁ । ଏମିତି ଏକ ଅଞ୍ଚଳ ହେଉଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଗୋପ ଅଞ୍ଚଳ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ତତଲା ତାଓ୍ବାରେ ସିଝୁଛନ୍ତି ଗୋପବାସୀ । ସମସ୍ତଙ୍କ ମନରେ ପ୍ରଶ୍ନ କେବେ ଆସିବ ବିଦ୍ୟୁତ । ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ସାମୁଦ୍ରିକ ଝଡ ଫନିରେ ବିଦ୍ୟୁତ ବିଭାଗର ସର୍ବାଧିକ କ୍ଷତି ହୋଇଥିବା ବେଳେ ମରାମତି କରିବା ପାଇଁ ସରକାର ଆବଶ୍ୟକ ସରଞ୍ଜାମ ଯୋଗାଇ ଦେଉଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସମନ୍ୱୟ ଅଭାବରୁ ବିଦ୍ୟୁତ ମରାମତି କାର୍ଯ୍ୟ ତ୍ବରାନ୍ବୀତ ହୋଇପାରୁ ନଥିବା ଅଭିଯୋଗ ହେଉଛି । ବିଜୁଳିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବି ଦାନା ବାନ୍ଧିବାରେ ଲାଗିଛି । ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ମଙ୍ଗଳବାର ସକାଳେ । ଶହ ଶହ ଲୋକେ ସକାଳୁ ପିପିଲି କୋଣାର୍କ ମୁଖ୍ୟ ରାସ୍ତାର ଗୋପ ତହସିଲ ଛକଠାରେ ରାସ୍ତା ଅବରୋଧ କରିଥିଲେ । ବିଦ୍ୟୁତ ବିଭାଗର କୌଣସି ଅଧିକାରି ଯଦିଓ ପହଁଞ୍ଚିନଥିଲେ, ମାତ୍ର ରାସ୍ତାରୋକ ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ୨ ଘଣ୍ଟା ପରେ ଗୋପ ପୋଲିସ ପହଁଞ୍ଚି ବୁଝାସୁଝା କରି ରାସ୍ତାରୋକ ହଟେଇଥିଲା । ମାତ୍ର ଗୋପ ଭଳି ଅଧିକାଁଶ ଅଞ୍ଚଳରେ ଲୋକଙ୍କ ଭିତରେ ବିଜୁଳିକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।
(ଗୋପରୁ ସୁନିଲ କୁମାର ମିଶ୍ରଙ୍କ ରିପୋର୍ଟ )

LEAVE A REPLY

Please enter your comment!
Please enter your name here