2000 ରୁ 2023 । ନବୀନ ପଟ୍ଟନାୟକଙ୍କ ଦୀର୍ଘ ତେଇଶି ବର୍ଷର ରାଜନୈତିକ ଇତିହାସ ଦୁଇଟି ଅଧ୍ୟାୟରେ ବିଭକ୍ତ । ଗୋଟିଏ ପ୍ୟାରୀ-ନବୀନ ଯୁଗ ଏବଂ ଆଉ ଗୋଟିଏ ପାଣ୍ଡିଆନ-ନବୀନ ଯୁଗ । ପ୍ରଥମ ଦଶନ୍ଧି ଅବସରପ୍ରାପ୍ତ ଆଇଏଏସ ସ୍ବର୍ଗତଃ ପ୍ୟାରୀମୋହନ ମହାପାତ୍ର ଏବଂ ଦ୍ବିତୀୟ ପର୍ବ ଚାକିରୀରେ ଥିବା ଆଇଏଏସ ଅଫିସର ଭି. କେ. ପାଣ୍ଡିୟାନ । ଦୁଇ ଆଇଏଏସ ଅଧିକାରୀଙ୍କ ରାଜନୈତିକ ଗୋଟି ଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଅପ୍ରତିଦ୍ବନ୍ଦୀ ନେତା । ଉଭୟ ଆଇଏଏସଙ୍କ ଦିଗଦର୍ଶନରେ ନବୀନ ବିରୋଧୀଙ୍କୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ତେବେ ଦୁଇ ଆଇଏଏସଙ୍କ ଦିଗଦର୍ଶନ ମଧ୍ୟରେ ଫରକ କଣ ?

ଆମେ ସମସ୍ତେ ଜାଣିଛେ ନବୀନଙ୍କ ପ୍ରଥମ ଦଶନ୍ଧରେ ପ୍ୟାରୀମୋହନ କେତେ ପାଓ୍ବାରଫୁଲ୍ ଥିଲେ । ଉଭୟ ସରକାର ଓ ଦଳ ଉପରେ ଏତେ ଦବଦବା ଥିଲା ଯେ, ତାଙ୍କ ବିନା ଇସାରାରେ ଶଙ୍ଖ ଗଛର ପତ୍ର ହଲୁ ନ ଥିଲା । ନବୀନ ନିବାସ ଶୁଖିଲା ପଡୁଥିବା ବେଳେ ପ୍ୟାରୀଙ୍କ ସହିଦନଗର ଘରେ ସକାଳୁ ସକାଳୁ ନେତା ମନ୍ତ୍ରୀଙ୍କ ଭିଡ ଲାଗି ଯାଉଥିଲା । କେହି କେହି ସେତେବେଳେ ପ୍ୟାରୀଙ୍କୁ ସୁପର୍ ଚିଫ୍ ମିନିଷ୍ଟର କହୁଥିଲେ । ପ୍ୟାରୀ ଏମିତି ଗୋଟି ଚଳାଉଥିଲେ ଯେ ସଂଖ୍ୟା ନ ଥାଇ ବି ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇ ଆଣୁଥିଲେ । ଟିକେଟ ବଣ୍ଟା, ମନ୍ତ୍ରୀମଣ୍ଡଳ ଗଠନ ସବୁ ପ୍ୟାରୀ କରୁଥିଲେ । ନବୀନ ଖାଲି ଦସ୍ତଖତ କରୁଥିଲେ । ଶେଷରେ ପ୍ୟାରୀ-ନବୀନ ଅଧ୍ୟାୟର କେମିତି ଅନ୍ତ ଘଟିଲା, ତାହା ସମସ୍ତେ ଜାଣନ୍ତି । ସୁପର୍ ଚିଫ୍ ମିନିଷ୍ଟର ଯେତେବେଳେ ରିଅଲ୍ ଚିଫ୍ ମିନିଷ୍ଟର ହେବାକୁ ମନ ବଳେଇଲେ, ସେତେବେଳେ ପ୍ୟାରୀ-ନବୀନ ଯୋଡି ଭାଙ୍ଗିଗଲା । ପ୍ୟାରୀ-ନବୀନ ଯୋଡି ଭାଙ୍ଗିଯିବା ପରେ ଏଣ୍ଟ୍ରି ମାରିଥିଲେ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ । ପ୍ରଥମେ ପ୍ରଥମେ ପ୍ରଚ୍ଛଦପଟ୍ଟରେ ରହି ଗୋଟି ଚଳାଇ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସଭାଜନ ହୋଇଥିଲେ । କ୍ୟାମେରା ସାମନାକୁ କେବେ ବି ଆସୁ ନ ଥିଲେ । ଏମିତିକି ସେ ସେକ୍ରେଟାରିଏଟ୍ ଭିତରକୁ କେତେବେଳେ ଯାଉଥିଲେ, କେତେବେଳେ ବାହାରୁଥିଲେ, କ୍ୟାମେରା ଲେନ୍ସ ଭିତରକୁ ଆସୁ ନ ଥିଲା । ମାତ୍ର ଧୀରେ ଧୀରେ ନବୀନଙ୍କ ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ହାସଲ କରିବାରେ ସଫଳ ହୋଇଥିଲେ ସେ । ପ୍ରଥମେ 5T ବିଭାଗ ଖୋଲି ପୁରା ପ୍ରଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏମିତି ଭାବରେ ସେ କାର୍ଯ୍ୟ କଲେ, ତାଙ୍କ ଠାରୁ ସିନିଅର୍ ଆଇଏଏସ ଅଫିସରମାନେ ବି ମୁହଁ ଖୋଲି ପାରିଲେନି । ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ରହି ପୁରା ପ୍ରଶାସନକୁ ନିଜ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେଲେ । ଅନ୍ୟପଟରେ ଦଳୀୟ ସଂଗଠନ ଉପରେ ପ୍ରଭାବ ବିସ୍ତାର ପାଇଁ କିଛି ବିଧାୟକ ଓ ସାଂସଦଙ୍କୁ ନେଇ ଏକ କୋଟେରୀ ତିଆରି କରାଗଲା । ଏହି କୋଟେରୀରେ ଥିବା ନେତା, ବିଧାୟକମାନେ ପ୍ରଥମେ ନିଜକୁ ସର୍ବେସର୍ବା ଭାବୁଥିଲେ । କାରଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନବୀନଙ୍କ ପାଖରେ କେବଳ ସେମାନଙ୍କର ପହଞ୍ଚ ଥିଲା । 2019 ନିର୍ବାଚନ ପୂର୍ବରୁ ଜଣେ ଆଇଏଏସ ଅଫିସରଙ୍କ ନେତୃତ୍ବରେ ସରକାର ଓ ଦଳ ପରିଚାଳନାର ଯେଉଁ ଯୁଗ ଆରମ୍ଭ ହୋଇଯାଇଥିଲା, ଏବେ ତାହା ସଂପୂର୍ଣ୍ଣ ପରିପ୍ରକାଶ ହୋଇସାରିଛି ।

ଆଉ କ୍ୟମେରା ପଛରେ ନାହାଁନ୍ତି ଭି.କେ. ପାଣ୍ଡିୟାନ । ପୁରା 30 ଜିଲ୍ଲା ଓ 147 ବିଧାନସଭାକୁ ହେଲିକପ୍ଟରରେ ଗସ୍ତ କରି ସଭା, ସମାବେଶ କରି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପାଣ୍ଡିଆନ ମହୋଦୟ ନିଜକୁ ଲୋକଙ୍କ ଆଗରେ ଉପସ୍ଥାପିତ କରି ଏକଥା ମଧ୍ୟ ପ୍ରମାଣିତ କରିଦେଇଛନ୍ତି, ସେ ହେଉଛନ୍ତି ନବୀନଙ୍କର ଏକମାତ୍ର ବିଶ୍ବସ୍ତ ବ୍ୟକ୍ତି । କାରଣ ତାଙ୍କ ସଭାକୁ ସଫଳ କରିବାରେ ଦଳର ନେତା ମନ୍ତ୍ରୀମାନେ ଝାଳ ବୁହାଇ ପରିଶ୍ରମ କରୁଥିବା ବେଳେ ହେଲିକପ୍ଟରରେ ଯାଇ ମଞ୍ଚ ଉପରେ ସମାବେଶକୁ ମଧୁର ଉଦବୋଧନ ସେ ଏକା ହିଁ ଦେଉଥିଲେ । ତିରିଶ ଜିଲ୍ଲା ଗସ୍ତ କରି ସେ ଓଡିଆ ଲୋକଙ୍କ ନାଡି ଚିପି ପରଖି ସାରିଛନ୍ତି । ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ନବୀନଙ୍କ ମୋବାଇଲ୍ ବାର୍ତ୍ତା ବି ଶୁଣାଇ ସାରିଛନ୍ତି । ଏବେ ଆଉ କାହାକୁ ଡରିବାର ନାହିଁ ।

ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ । ଏବେ ପାଣ୍ଡିୟାନଙ୍କୁ ନେଇ ଅନେକ ଚର୍ଚ୍ଚା । ପାଣ୍ଡିୟାନ ଚାକିରୀ ଛାଡି ରାଜନୀତିକୁ ଓହ୍ଲେଇବେ ନା ତାଙ୍କ ଆଇଏଏସ ପତ୍ନୀ ସୁଜାତାଙ୍କୁ ରାଜନୀତି ମଇଦାନରେ ଛିଡା କରେଇବେ ? ପ୍ୟାରୀଙ୍କ ଭଳି ଭୁଲ୍ ସେ କଦାପି କରିବେନି । ହୁଏତ ନବୀନଙ୍କ ମୁହଁରେ ସେ ବିଜେଡି ଶାସନର ଉତ୍ତରାଧିକାରୀ ଘୋଷଣା କରିପାରନ୍ତି, ଯାହାକୁ ବିରୋଧ କରିବା ପାଇଁ ଦଳ ଭିତରେ କେହି ବି ସାହସ କରିବେ ନାହିଁ । ଆଉ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଓଡିଶାର ଲୋକେ ମାନିନେବେ । ଅତଏବ ନବୀନଙ୍କ ମୁଖା ପିନ୍ଧି କ୍ଷମତା ଦଖଲ ପାଇଁ ବ୍ଲୁ ପ୍ରିଣ୍ଟ ରେଡି । ( ଆଲେଖ୍ୟ : ଅପୂର୍ବ କୁମାର ମହାନ୍ତି )

LEAVE A REPLY

Please enter your comment!
Please enter your name here