ସୁପ୍ରିମକୋର୍ଟ ୱାକଫ ଆଇନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ମୁଦ୍ଦାକୁ ନେଇ ଫୈସଲା ଆସିଛି, ସମ୍ପୂର୍ଣ୍ଣ ଆଇନକୁ ରୋକ୍ ଲଗାଇନାହାନ୍ତି କୋର୍ଟ । କିନ୍ତୁ କିଛି ବିବାଦୀୟ ଧାରାକୁ ସ୍ତଗିତ କରାଯାଇଛି । କେନ୍ଦ୍ରର ୱାକଫ ଅଧିନିୟମକୁ ଚ୍ୟାଲେଞ୍ଜ କରି ମାମଲା ହୋଇଥିଲା । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି ଏଜି ମସିହଙ୍କ ଗଠିତ ଖଣ୍ଡପୀଠ ୨୨ମେ ରେ ଏହି ମାମଲା ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ପୂରା କାନୁନ୍ ଉପରେ ରୋକ୍ ଲଗାଇବାର କୌଣସି ମାମଲା ନାହିଁ । କେବଳ କିଛି ଧାରାରେ ରୋକ୍ ଲଗାଯାଇଛି । କୋର୍ଟ କହିଛନ୍ତି ୱାକଫ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ । ଏହାଛଡ଼ା ୱାକଫ ବୋର୍ଡରେ ୩ଜଣରୁ ଅଧିକ ଅଣ ମୁସଲିମ ରହିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ନୂତନ ଆଇନରେ ଜିଲ୍ଲା କଲେକ୍ଟରଙ୍କୁ ଦିଆଯାଇଥିବା ବ୍ୟାପକ କ୍ଷମତା ବିଷୟରେ କୋର୍ଟ କହିଛନ୍ତି ବ୍ୟକ୍ତିଗତ ନାଗରିକଙ୍କ ଅଧିକାରର ବିଚାର କରିବାକୁ କଲେକ୍ଟରଙ୍କୁ ଅନୁମତି ଦିଆଯାଇପାରିବ ନାହିଁ, ଏବଂ ଏହା କ୍ଷମତା ପୃଥକୀକରଣକୁ ଉଲ୍ଲଂଘନ କରିବ ।
ସୁପ୍ରିମକୋର୍ଟ କହିଛି, ଯେପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଦ୍ଵାରା ନିଷ୍ପତ୍ତି ନହୋଇଛି କଲେକ୍ଟରଙ୍କୁ ଦିଆଯାଇଥିବା କ୍ଷମତା ବ୍ୟବସ୍ଥା ସ୍ଥଗିତ ରହିବ । ଜଣେ ୫ ବର୍ଷ ଇସଲାମ ପାଳନ କରିଥିଲେ ହିଁ ୱାକଫକୁ ସମ୍ପତ୍ତି ଦେଇପାରିବା ପ୍ରାବଧାନ ଉପରେ ମଧ୍ୟ ରୋକ ଲଗାଇଛନ୍ତି କୋର୍ଟ । ତାସହିତ, ୱାକଫ ଆଇନର ଧାରା ୩୭୪ ଉପରେ ମଧ୍ୟ ସ୍ଥଗିତ ଜାରି କରିଛି କୋର୍ଟ । ଆଇନର ସାମ୍ବିଧାନକତା ସବୁବେଳେ ସପକ୍ଷରେ ଧରାଯିବାକୁ ଥିବାକୁ କୋର୍ଟ ସ୍ପଷ୍ଟ କରିଛି । କେବଳ ବିରଳରୁ ବିରଳ ମାମଲାରେ ହିଁ ଏଥିରେ ହସ୍ତକ୍ଷେପ କରାଯିବା ଉଚିତ । ତେବେ କେନ୍ଦ୍ରସରକାର ଆଣିଥିବା ନୂତନ ୱାକଫ ଆଇନରେ ୱାକଫ ସମ୍ପତ୍ତି ମାଲିକାନା ସହିତ ଜଡିତ ପ୍ରସଙ୍ଗରେ ଜିଲ୍ଲା କଲେକ୍ଟରଙ୍କୁ ଚୂଡ଼ାନ୍ତ ମଧ୍ୟସ୍ଥ ଭାବରେ କ୍ଷମତା ଦିଆଯାଇଥିଲା ।













