କାନ୍ଦ ବୋବାଳିରେ ଫାଟି ପଡୁଛି ଘର, ଉଜୁଡି ଯାଇଛି ହସ ଖୁସିର ସଂସାର । ସମସ୍ତଙ୍କ ଆଖିରେ ଧାର ଧାର ଲୁହ । ଛାତିରେ ଛାତିଏ କୋହ । ନିଜକୁ ସମ୍ଭାଳି ପାରୁନାହାଁନ୍ତି । କିଏ ଜାଣିଥିଲା ଏମିତି ହେବ ବୋଲି । ଦୁଇ ଦିନ ଧରି ହୋଇଥିବା ଲଗାଣ ବର୍ଷା ପାଇଁ ହିଁ ଏମିତି ଘଟିଛି । ଝିଅ ବାହାଘର ପାଇଁ ମା ଦେଖିଥିଲା ଅନେକ ସ୍ୱପ୍ନ । କିନ୍ତୁ ଏତେ ଖୁସି ବୋଧେ ଦଇବ ସହିଲାନି । ଲଗାଣ ବର୍ଷାରେ ଧୋଇଗଲା ଆଖିରେ ଆଖିଏ ସ୍ୱପ୍ନ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗାଁର ଏ ଦୃଶ୍ୟ । ଭଙ୍ଗା ନଡ଼ାଛପର ଘର କାନ୍ଥରେ ବର୍ଷା ଜଳ ପଡିବାରୁ ଓଲଟିଯାଇଥିଲା ମାଟିକାନ୍ଥ। ରୋଷେଇ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଯାଇଥିଲେ ଶମ୍ଭୁନାଥ ପଲେଇଙ୍କ ସ୍ତ୍ରୀ ଦମୟନ୍ତି ପଲେଇ । ପଡୋଶୀମାନେ ଆସି ଦମୟନ୍ତିଙ୍କୁ ମାଟିକାନ୍ଥ ତଳୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଦମୟନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ତେବେ ଝିଅ ବାହାଘରର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଆନନ୍ଦର ପରିବେଶ ଦୁଃଖରେ ବଦଳି ଯାଇଥିଲା । ଆସନ୍ତା ୫ ତାରିଖରେ ଝିଅ ବାହାଘର ପାଇଁ ଦିନ ସ୍ଥିର ହୋଇଥିଲା । ସରକାରୀ ସହାୟତା କିଛି ମିଳିନାହିଁ । କେବଳ ଶବସତ୍କାର ପାଇଁ ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ମିଳିଛି । ତେବେ ଏହି ଅସହାୟ ଗରିବ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here