ମୟୁରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବରିଷ୍ଠ ପ୍ରଶାସକ ଗିରିଶ ଚନ୍ଦ୍ର ମୁର୍ମୁ। ତାଙ୍କ କର୍ମମୟ ଜୀବନର ସଫଳତା ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳାଇ ଦେଇଛି । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ନିଯୁକ୍ତି ପାଇଛନ୍ତି ଗିରିଶ । ଗଣମାଧ୍ୟମରୁ ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ଖବର ଜାଣିବା ପରେ ତାଙ୍କ ପରିବାର ସହିତ ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଅବସରପ୍ରାପ୍ତ ଓଡିଆ ଆଇଏଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଜମ୍ମୁ ଓ କାଶ୍ମୀରର ପ୍ରଥମ ଗଭର୍ଣ୍ଣର । ଜମ୍ମୁ ଏବଂ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲେଫଟାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ୱର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ବଡ଼ପୁଅ ହେଉଛନ୍ତି ଗିରିଶ । ୨୧ ନଭେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରିଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୮୫ରେ ‌ଗିରିଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here