ବର୍ଷ ଆରମ୍ଭ ହେଉଣୁ ଘଟିଯାଇଛି ଏକ ଦୁଃଖଦ ଦୁର୍ଘଟଣା. ଘଟଣାଟି ହେଲା ମହାନଦୀ ମୁହାଣରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ଚାଲିଯାଇଛି 9ଟି ମୂଲ୍ୟବାନ ଜୀବନ. ତେବେ ସୂଚନା ଅନୁସାରେ, କୁଜଙ୍ଗ ନିକଟସ୍ଥ ହସିଣା ଗ୍ରାମର ପ୍ରାୟ 55 ଜଣ ମିଶି ମହାକାଳ ବ୍ଲକ ହୁକିତୋଳା ନିକଟକୁ ବଣଭୋଜି କରିବାକୁ ଯାଇଥିଲେ ଏବଂ ସଂଧ୍ୟାରେ ‘ଶକ୍ତିମୟୀ ମା’ ମଙ୍ଗଳା’ ନାମକ ଡଙ୍ଗାରେ ସେମାନେ ଫେରୁଥିଲେ. ତେବେ ଉକ୍ତ ଡଙ୍ଗାରେ 15 ଜଣ ଯିବା ଜାଗାରେ 55 ଜଣ ଚଢିଥିଲେ. ମିଳିଥିବା ସୂଚନା ଅନୁସାରେ, ଫେରୁଥିବା ସମୟରେ ଡଙ୍ଗାଟି ବାଲିକୁଦରେ ଧକ୍କା ହୋଇଥିଲା. ଫଳରେ ଗୋଟିଏ ପାଖରେ ପ୍ରାୟ 48 ଜଣ ରହିଯାଇଥିବାରୁ ଉକ୍ତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା. ନାଉରିଆଙ୍କ ବାରଣ ସତ୍ତ୍ୱେ ମଧ୍ୟ ସମସ୍ତେ ସେହି ଡଙ୍ଗାରେ ଚଢିଥିଲେ, ଯେଉଁଥିପାଇଁ ଏକ ବଡ ଦୁର୍ଘଟଣା ଘଟିଯାଇଛି. ତେବେ ଡଙ୍ଗାଟି ଗୋଟିଏ ପାଖ ହୋଇ ରହିଯାଇଥିଲା. ଫଳରେ  9 ଜଣଙ୍କ ମୃତ୍ୟୁ ହୋଇଛି. ଯାହା ଭିତରେ 2 ଜଣ ମହିଳା ଓ 7 ଜଣ ଶିଶୁ ଥିଲେ. ଅନ୍ୟପଟେ ଆଉ ଜଣେ ନିଖୋଜ ଥିବା ସୂଚନା ଦିଆଯାଇଛି ଏବଂ ଅନ୍ୟ 45 ଜଣ ସୁରକ୍ଷିତ ଥିବା କୁହାଯାଇଛି. ଘଟଣାଟି ବୁଧବାର ରାତି ପ୍ରାୟ 8ଟାରେ ଘଟିଥିଲା. ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଓଡ୍ରାଫ୍ଟ ଟିମ୍ ପହଞ୍ଚି ବିଳମ୍ବିତ ରାତିରେ ସମସ୍ତ ମୃତ ଦେହକୁ ଉଦ୍ଧାର କରିଥିଲା. ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଏବଂ ସମସ୍ତ ଆହତମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି.

 

 

LEAVE A REPLY

Please enter your comment!
Please enter your name here