ବିଜେପିରେ ବିସ୍ଫୋରକ ସ୍ଥିତି. ଟିକଟ ବଣ୍ଟାକୁ ନେଇ ଦଳ ଭିତରେ ତେଜୁଛି ଅସନ୍ତୋଷ. ଗୋଟିଏ କି ଦୁଇଟି ନିର୍ବାଚନମଣ୍ଡଳୀ ନୁହେଁ, ଅଧିକାଁଶ ନିର୍ବାଚନମଣ୍ଡଳୀରେ ବିଦ୍ରୋହ ମୁଣ୍ଡ ଟେକିଲାଣି. ଦଳଡିଆଁ ନେତାଙ୍କୁ ଟିକଟ ଦେବା ପରେ ଏଭଳି ଅସନ୍ତୋଷ ଭୟଙ୍କର ରୂପ ଧାରଣ କଲାଣି. ସପ୍ତାହେ ତଳେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଏକାମ୍ର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ବାବୁ ସିଂଙ୍କୁ ବିଜେପି ଟିକଟ ଦେବା ପରେ ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ଅମୀୟ ଦାସଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି. ପ୍ରତିବାଦରେ ବିଜେପି ଅଫିସ ସାମନାରେ ଧାରଣା ଦେବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି. ଦୀର୍ଘବର୍ଷ ଧରି ଅମୀୟ ଏକାମ୍ର ଭୁବନେଶ୍ବରରେ ବିଜେପିର ସଙ୍ଗଠନ କରି ଆସୁଥିବା ବେଳେ ରାତାରାତି ଦଳ ଡେଇଁ ବାବୁ ସିଂ ଟିକଟ ହାତେଇବା ଦଳୀୟ କର୍ମୀଙ୍କ ଭିତରେ ଅସନ୍ତୋଷର ନିଆଁ ଲଗେଇ ଦେଇଛି. ସେହିପରି ଦିଗପହଣ୍ଡିରେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକଟ ଦେବା ଘଟଣାରେ ଆଶାୟୀ ଇଂଜିନିୟର ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିବାଦ କରିଛନ୍ତି. ଯଦି ଦଳ ସେମାନଙ୍କ ଦାବି ପୁନର୍ବିଚାର ନ କରେ, ତେବେ ସେ ଦିଗପହଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭା ଆସନରୁ ସ୍ବାଧୀନ ଭାବେ ଲଢିବେ ବୋଲି କହିଛନ୍ତି. କେନ୍ଦୁଝର ପାଟଣା ବିଧାନସଭା ଆସନରେ ଦଳ ଭବାନୀ ଶଙ୍କର ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅଖିଳ ନାୟକଙ୍କ ନେତୃତ୍ବରେ ସମର୍ଥକମାନେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି. ଯଦି ଦଳ ପ୍ରାର୍ଥୀ ନ ବଦଳାଏ, ତେବେ ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନରେ ହରାଇବା ପାଇଁ କାର୍ଯ୍ୟ କରିବେ ବୋଲି ଧମକ ଦେଇଛନ୍ତି. ସେହିପରି ଆଳି, ଯାଜପୁର, ବଡଚଣା, ଭଦ୍ରକ, ବାସୁଦେବପୁର, ବାଲିଗୁଡା, ଜି.ଉଦୟଗିରି, ଜୟପୁର, ପଦମପୁର ଭଳି ବହୁ ନିର୍ବାଚନମଣ୍ଡଳୀରେ ବିଜେପି ନେତୃତ୍ବକୁ ବିଦ୍ରୋହର ସାମନା କରିବାକୁ ପଡିଲାଣି.

LEAVE A REPLY

Please enter your comment!
Please enter your name here