ଭୋଟ୍ ଦେଲେ ମିଳିବ ଟଙ୍କା . ସର୍ବସାଧାରଣରେ ଭୋଟରଙ୍କୁ ଖୋଲାଖୋଲି ଅଫର୍. ପୁଣି ଭୋଟରଙ୍କୁ ଏମିତି ଅଫର ଦେଉଥିବା ନେତା ବି ଯାହିତାହି ନୁହଁନ୍ତି. ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମିତି ଅଫର ଦେଇଛନ୍ତି ସାଲେପୁରରେ ଆୟୋଜିତ ଏକ ଦଳୀୟ ସଭାରେ. ସାଲେପୁର ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ ଦେବ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥକୁ ୧୫ ଲକ୍ଷ ଦିଆଯିବ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି ମନ୍ତ୍ରୀ. ଅବଶ୍ୟ ଭୋଟରଙ୍କୁ ଏମିତି ଅଫର ଦେବା ଆଗରୁ ସେ ସାମ୍ବାଦିକଙ୍କୁ ମୋବାଇଲ ଓ କ୍ୟାମେରା ବନ୍ଦ କରିବାକୁ କହିଥିଲେ. ତା ସତ୍ତ୍ବେ ବି ମନ୍ତ୍ରୀଙ୍କ ଅଫର ଗଣମାଧ୍ୟମରେ ଭାଇରାଲ ହେବା ପରେ ଏବେ ଘେରିଛନ୍ତି ବିରୋଧୀ.

ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରତାପ ଜେନାଙ୍କ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି. ଭୋଟରଙ୍କୁ ଖୋଲାଖୋଲି ପ୍ରଲୋଭିତ କରି ପ୍ରତାପ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି. କଂଗ୍ରେସ ବି ପ୍ରତାପଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବୋଲି କହିଛି. ଭୋଟ ପାଇଁ କାହାକୁ ପ୍ରଲୋଭିତ କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଜାଣି ବି ମନ୍ତ୍ରୀ ସର୍ବସାଧାରଣରେ ଏଭଳି ଘୋଷଣା କରିବା ଶାସକ ଦଳର ହତୋତ୍ସାହ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି.

LEAVE A REPLY

Please enter your comment!
Please enter your name here