ମକର ଉତ୍ସବରେ ଭକ୍ତଙ୍କର ଗହଳିକୁ ନଜରରେ ରଖି ଚଳିତବର୍ଷ ବନ୍ଦ ହୋଇଛି ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରିର ମକରମେଳା । ପ୍ରଶାସନ ଏହା ଉପରେ କଟକଣା ଲାଗୁ କରିଛନ୍ତି । ମାନସିକ କୁଣ୍ଡରେ ଗୁଆ ଖୋଜାକୁ ବାରଣ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସବଡିଭିଜନର ସମସ୍ତ ଦେବାଳୟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ସେହିପରି ଅଧିକାଂଶ ମନ୍ଦିର ବନ୍ଦ ରହୁଛି । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳୀଜାଇ ପୀଠକୁ ବନ୍ଦ ଘୋଷଣା କରାଯାଇଛି । ପର୍ଯ୍ୟଟକମାନଙ୍କୁ ନେଇ ପିକନିକ ନଯିବା ପାଇଁ ଡଙ୍ଗା ଚାଳକଙ୍କୁ କୃଷ୍ଣପ୍ରସାଦ ଥାନା ଏବଂ ତହସିଲଦାର ବାରଣ କରିଛନ୍ତି । ସେହିପରି ଘଟଗାଁ ମା ତାରିଣୀ ମନ୍ଦିରରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ ବ୍ୟବସ୍ଥା । ମକର ସଙ୍କ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଜି ସକାଳ ୬ଟାରୁ ୧୬ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ୪ଦିନ ଏହି କଟକଣା ବଳବତ୍ତର ରହିବ । ଏପଟେ ଆଠଗଡ଼ର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ ୧୪୪ ଧାରା ଜାରି କରାଯାଇଛି । କାଲି ସକାଳ ୬ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କେବଳ ସେବାୟତଙ୍କୁ ନେଇ ନୀତିକାନ୍ତି ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମିରେ ମଧ୍ୟ କଟକଣା ଲଗାଯାଇଛି । ପର‌୍ୟ୍ୟଟକଙ୍କ ପାଇଁ ବେଳାଭୂମି ବନ୍ଦ ରଖାଯାଇଛି । ଏନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଜିଠାରୁ ୧୭ ତାରିଖ ପର‌୍ୟ୍ୟନ୍ତ ଗୋପାଳପୁର, ସୋନପୁର ଓ ଅନ୍ୟ ବେଳାଭୂମି ଗୁଡିକ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ମକର ସଂକ୍ରାନ୍ତିରେ ଗହଳି ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଏଥିଲାଗି ବେଳାଭୂମି ଉପରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here