ଋଷ-ଯୁକ୍ରେନ ଯୁଦ୍ଧ ସମସ୍ୟାର ସମାଧାନ ପାଇଁ ଭାରତ କୂଟନୈତିକସ୍ତରରେ ଉଦ୍ୟମ କରିବ । ଏଥିପାଇଁ ଆସନ୍ତା ସପ୍ତାହରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗତ ଦୁଇମାସ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଓ ୟୁକ୍ରେନ ଗସ୍ତ କରି ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ଫେରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧାନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

ଅନ୍ୟ ଆନ୍ତର୍ଜାତିକ ନେତାମାନେ ମଧ୍ୟ ଭାବୁଛନ୍ତି ଯେ ୟୁକ୍ରେନ ସଂଘର୍ଷର ସମାଧାନ ଖୋଜିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହିତ ଆଲୋଚନା କରିଥିଲେ । ସେ କହିଛନ୍ତି, “ଚୀନ ଏବଂ ଭାରତ ଏହି ସଂଘର୍ଷର ସମାଧାନ ଖୋଜିବାରେ ଭୂମିକା ନିର୍ବାହ କରିପାରିବେ । କାରଣ ଋଷ ସହ ଉଭୟ ଭାରତ ଓ ଚୀନ୍ ଭଲ ସଂପର୍କ ରଖିଆସିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ମାସରେ ରୁଷ ଭ୍ରମଣ କରିଥିଲେ ଏବଂ ଯେଉଁଦିନ ରାଷ୍ଟ୍ରପତି ପୁତିନଙ୍କୁ ଆଲିଙ୍ଗନ କରିଥିଲେ, ସେହିଦିନ ରୁଷ ମିସାଇଲ ଆକ୍ରମଣରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ଥିଲେ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, “ବିଶ୍ବର ସବୁଠାରୁ ବଡ଼ ଲୋକତାନ୍ତ୍ରିକ ଦେଶର ନେତା ମସ୍କୋରେ ବିଶ୍ୱର ସବୁଠାରୁ ରକ୍ତପାତୀ ଅପରାଧୀଙ୍କୁ ଆଲିଙ୍ଗନ କରିବା ଅର୍ଥ ଶାନ୍ତି ପ୍ରୟାସ ପାଇଁ ବୃଥା ଉଦ୍ୟମ । ଅବଶ୍ୟ ମୋଦୀଙ୍କ ଏହି ଗସ୍ତ ସମୟରେ ଋଷ ରାଷ୍ଟ୍ରପତି ପୁତିନ କହିଥିଲେ, ତିନୋଟି ଦେଶ ସହ ତାଙ୍କର ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରହିଛି । ଭାରତ, ବ୍ରାଜିଲ ଓ ଚୀନ । ତେଣୁ ସମସ୍ୟାର ସମାଧାନ ପାଇଁ ମିତ୍ର ରାଷ୍ଟ୍ରମାନଙ୍କ ସହ ସେ ଆଲୋଚନା କରିବେ ।

ଋଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ଗସ୍ତ କରି ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଆଲିଙ୍ଗନ କରିଥିଲେ । ସେତେବେଳେ ମୋଦୀ କହିଥିଲେ, ଭାରତର ଉଦ୍ୟମ ଶାନ୍ତି ସପକ୍ଷରେ । ପ୍ରଧାନମନ୍ତ୍ରୀ ମୋଦି ରୁଷ ଆକ୍ରମଣରେ ଜୀବନ ହରାଇଥିବା ଶିଶୁମାନଙ୍କ ସ୍ମୃତିକୁ ସମ୍ମାନ ପ୍ରଦର୍ଶନ କରିବା ସହ ପ୍ରତ୍ୟେକ ଦେଶର ଶିଶୁମାନେ ସୁରକ୍ଷିତ ହେବାକୁ ଯୋଗ୍ୟ ଏବଂ ଆମକୁ ଏହାକୁ ସମ୍ଭବ କରିବାକୁ ପଡ଼ିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here