ଅପେକ୍ଷାର ଅବସାନ । ଟିକା ନେଉଛି ଓଡିଶା । ରାଜ୍ୟର ମୋଟ୍ ୧୬୧ଟି ଟିକାକରଣ କେନ୍ଦ୍ରରେ ଦିଆଯାଉଛି କରୋନା ଟିକା । ଦେଶ ଏବଂ ରାଜ୍ୟ ପାଇଁ ଆଜିର ଦିନ ସବୁଠାରୁ ଖୁସିର ଦିନ । କରୋନା ବିରୋଧି ଲଢେଇର ଆଜି ଶେଷ ପର୍ଯ୍ୟାୟ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଭୁବନେଶ୍ୱରରେ ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାଏକ ଟିକା ନେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ନେଇଛନ୍ତି ଦ୍ୱିତୀୟ ଟିକା । ବାହୁରେ ଟିକା ଦିଆଯିବା ସହିତ ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ୍ ଅବଜରବେସନରେ ରଖାଯାଉଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ୨୫ ତାରିଖ ସୁଦ୍ଧା ସରିବ । ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର । ଆସନ୍ତାକାଲି ରବିବାର ଥିବାରୁ ଟିକାକରଣ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ କୋଭିସିଲ୍ଡ ଟିକାର ୪ ଲକ୍ଷ ୮ହଜାର ଡୋଜ୍ ରହିଥିବାବେଳେ କୋଭାକ୍ସିନ୍ ୨୦ ହଜାର ଡୋଜ୍ ରହିଛି । ଭୁବନେଶ୍ୱରର ୯ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ସେହିଭଳି ଅନ୍ୟ ଜିଲ୍ଲାର ୧ ଲକ୍ଷ ୮୩ ହଜାର ୫୫୫ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡ ଟିକା ଦିଆଯିବ । ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କରୋନା ଟିକାକରଣ ବାରଣ କରାଯାଇଛି । ଏଥିସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’, ଅସୁସ୍ଥ ଲୋକ , ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀଙ୍କୁ କରୋନା ଟିକା ମନା କରାଯାଇଛି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହୋଇଥିବାବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here