ଦୀର୍ଘବର୍ଷ ପରେ ଯୌନ ଶୋଷଣର ଅଭିଯୋଗ. ଏମିତି ଅଭିଯୋଗର ଲମ୍ବାଫର୍ଦ୍ଦ ଏବେ ଆହୁରି ଲମ୍ବା ହେବାରେ ଲାଗିଛି. ଅଭିନେତ୍ରୀ ତନୁଶ୍ରୀ ଦତ୍ତ, ଦିୟା ମିର୍ଜାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସୁତପା ପଲଙ୍କ ଯାଏଁ ବହୁ ମହିଳା ସେମାନଙ୍କ ଉପରେ ହୋଇଥିବା ଯୌନ ଅତ୍ୟାଚାରର କାହାଣୀ ଦୀର୍ଘବର୍ଷ ପରେ ବର୍ଣ୍ଣନା କରିବାରେ ଲାଗିଛନ୍ତି. ଆଉ ମି..ଠୁ କାହାଣୀର ଶୀକାର ହେବାରେ ଲାଗିଛନ୍ତି ବହୁ ଖ୍ୟାତନାମା ବ୍ୟକ୍ତିତ୍ବ କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ନାନା ପାଟେକର, ଆଲୋକ ନାଥଙ୍କ ଭଳି ଅଭିନେତା.
ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଯୌନ ମାମଲାର ଆରୋପ ଲଗାଇଛନ୍ତି ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ. ଏକ ଫିଲ୍ମର ସୁଟିଂ ସମୟରେ ପାଟେକର୍ ତାଙ୍କୁ ଡ୍ରେସ୍ ଖୋଲିବା ପାଇଁ କହିଥିବା ସେ ଅଭିଯୋଗ କରିଛନ୍ତି. ତନୁଙ୍କୁ ନେଇ ବଲିଉଡ୍ ବେଶ୍ ସରଗରମ ଥିବା ବେଳେ ସାଜିଦ ଖାନଙ୍କ ଉପରେ ଆରୋପ ଲଗାଇଛନ୍ତି ଦିୟା ମିର୍ଜା. ଦୁଇହଜାର ମସିହାରେ ଅଭିନୟ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ବେଳେ ସାଜିଦ ତାଙ୍କୁ ଯୌନ ଅତ୍ୟାଚାର କରିଥିଲେ. ପୂର୍ବତନ ସଂପାଦକ କେନ୍ଦ୍ର ମନ୍ତ୍ରୀ ଏମ.ଜେ ଆକବରଙ୍କ ବିରୋଧରେ ଆଠ ଜଣ ମହିଳା ସାମ୍ବାଦିକ ଯୌନ ଶୋଷଣ କରିଥିବା ଅଭିଯୋଗ ଆଣିଛନ୍ତି. ଅଭିଯୋଗ କରିଥିବା ମହିଳା ସାମ୍ବାଦିକଙ୍କ ମଧ୍ୟରେ ଜଣେ ଆମେରିକୀୟ ତରୁଣୀ ମଧ୍ୟ ସାମିଲ ହୋଇଛନ୍ତି. ଏ ନେଇ ଆକବରଙ୍କ ଇସ୍ତଫା ଦାବି ଜୋର୍ ଧରିଛି.
ଆରୋପର ଅଭିଯାନରୁ ବାଦ୍ ପଡିନାହାନ୍ତି ଅଭିନେତା ଆଲୋକ ନାଥ. ଏବେ ତାଙ୍କ ଉପରେ ମଧ୍ୟ ଯୌନ ଆରୋପ ଲଗାଯାଇଛି. ମହିଳାଙ୍କୁ ଅସଦାଚରଣ ଓ ଦୁର୍ବ୍ୟବହାର କରିବା ଅଭିଯୋଗ ତାଙ୍କ ଉପରେ ଲଗାଯାଇଛି. ୯୦ ଦଶକର ଲୋକପ୍ରିୟ ଶୋ’ ‘ତାରା’ ର ପ୍ରଯୋଜକ ଓ ଲେଖକ ବିନତା ନନ୍ଦା ଆଲୋକଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଛନ୍ତି. ଅଭିନେତ୍ରୀ ସନ୍ଧ୍ୟା ମୁଦୃଳ ଆଲୋକଙ୍କ ସହ-କଳାକାର ହିମାନୀ ଶୁବପୁରୀ ମଧ୍ୟ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି. ଏହା ପରେ ଲୋକପ୍ରିୟ ଟି-ସିରିଜ୍ ମ୍ୟୁଜିକ୍ କମ୍ପାନୀର ସିଇଓଙ୍କ ଉପରେ ମଧ୍ୟ ଯୌନ ଶୋଷଣର ଅଭିଯୋଗ ହୋଇଛି. ଅଭିଯୋଗ ଆଣିଛନ୍ତି ଜଣେ ସାଧାରଣ ମହିଳା. ତାଙ୍କ କହିବା ମୁତାବକ, ସେ ଭୂଷଣଙ୍କ ସହ ଶୋଇବାକୁ ମନା କରିଦେବାରୁ ତାଙ୍କୁ ଫିଲ୍ମରେ ଅଭିନୟ କରିବାରୁ ବଞ୍ଚିତ କରାଯାଇଥିଲା. ଘଟଣା ମୁତାବକ, ଫିଲ୍ମରେ ଅଭିନୟ କରିବା ପାଇଁ ମହିଳା ଜଣକ ଚୁକ୍ତି ସ୍ୱାକ୍ଷର କରିବା ପରେ ଭୂଷଣ କୁମାରଙ୍କ ତରଫରୁ ଏକ ମେସେଜ ଆସିଥିଲା, ଯେଉଁଥିରେ ଲେଖାଥିଲା- ‘ମୁଁ ଏପରି ଏକ ସଂପର୍କ ଚାହୁଁଛି, ଯେଉଁଠି କାମ ଓ ଆନନ୍ଦ ଉଭୟ ଥିବ. ଆଉ ଯଦି ତୁମେ ଏଥିରେ ରାଜି ହେବ ତାହେଲେ ତୁମକୁ ସୁପରଷ୍ଟାର ବନାଇଦିଆଯିବ’. ଏହାକୁ ପ୍ରତିବାଦ କରି ମହିଳା ଜଣକ କହିଥିଲେ, ‘ମୁଁ କାମ ଆଉ ଆନନ୍ଦ ପାଇଁ କାହା ପାଖରେ ଶୁଏ ନାହିଁ. ଯଦି ଫିଲ୍ମ କରିବା ପାଇଁ ଏସବୁ କରିବାକୁ ପଡିବ ତାହାଲେ ମୁଁ ବ୍ୟାକ୍ ଆଉଟ୍ କରୁଛି’.
ଏହି ମାମଲାରୁ କ୍ରିକେଟର ମଧ୍ୟ ବାଦ୍ ପଡିନାହାନ୍ତି. ବର୍ତ୍ତମାନ ଯୌନ ଅଭିଯୋଗ ଉଠିଛି କ୍ରିକେଟର ଅର୍ଜୁନ ରଣତୁଙ୍ଗା, ଲସିଥ ମଲିଙ୍ଗା ଓ ଭାରତୀୟ କ୍ରିକେଟ ବୋର୍ଡର ସିଇଓ ରାହୁଲ ଜୋହରୀଙ୍କ ଉପରେ. ଜୋହରୀଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ବାଦିକ.

ତେବେ ଏଠାରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ଆଜି ଯେଉଁମାନେ ଯୌନ ଉତ୍ପୀଡନରେ ଶିକାର ହୋଇଥିବା ଅଭିଯୋଗ ଆଣୁଛନ୍ତି ସେମାନେ ଆଜି ଯାଏଁ ଚୁପ୍ ହୋଇ ବସିଥିଲେ କ’ଣ ପାଇଁ ? ଆଉ କ’ଣ ପାଇଁ ଆଜି ନ୍ୟାୟ ପାଇବା ପାଇଁ ସ୍ୱର ଉଠାଉଛନ୍ତି ? ସେତେବେଳେ କ’ଣ ଦୋଷୀ ପାଇଁ ଦଣ୍ଡ ନଥିଲା %