ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶନିବାର ବିଜେବି ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ଶ୍ରମିକଦ୍ୱୟ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଜିଲ୍ଲା ଖେଜୁରୀ ଥାନା ଅଞ୍ଚଳର ପୋବିର ଦାସ (୫୦) ଓ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଧୂମା ଟୁଡୁ (୪୦) । ସ୍ଥାନୀୟ ଶ୍ରମିକଙ୍କ ସୂଚନା ଅନୁଯାୟୀ, ବିଜେବି ନଗରସ୍ଥିତ ପାରାମାଉଣ୍ଟ ସ୍ପୋର୍ଟସ୍ କ୍ଲବ ନିକଟ ଏକ ନିର୍ମାଣଧୀନ ବହୁମହଲା କୋଠାରେ ଏହି ଘଟଣା ଘଟିଛି । ଦିନ ପ୍ରାୟ ୨ଟା ବେଳେ ଅନ୍ୟ ଶ୍ରମିକମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ହେଲେ ଏହି ଶ୍ରମିକ ଦ୍ୱୟ ପାଇଖାନା ଟାଙ୍କି ଭିତରେ ପଶି ସେଣ୍ଟ୍ରିଂ ପଟା ଖୋଲିବା କାମ କରୁଥିଲେ । ଜଣେ ଶ୍ରମିକ ପଟା କାଢ଼ିବାକୁ ଟାଙ୍କି ଭିତକୁ ଯାଇଥିଲେ । ତେବେ ସେ ସେଠାରେ ଫସି ଯିବାରୁ ଅନ୍ୟ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଭିତକୁ ଯାଇଥିଲେ । ହେଲେ ଉଭୟ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।











