‘ମୁଡ୍ ଅଫ୍ ଦି ନେଶନ’ ନାଁରେ ଇଣ୍ଡିଆ ଟୁଡେ କରିଥିବା ସର୍ଭେ ନେତାଙ୍କ ନିଦ ହଜେଇ ଦେଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅଣଚାଶ ପ୍ରତିଶତ ହ୍ରାସ ପାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିବା ଏହି ସର୍ଭେରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବି ପୂର୍ବାପେକ୍ଷା କମିଥିବା କୁହାଯାଇଛି. ରିପୋର୍ଟ ଅନୁଯାୟୀ, ୨୦୧୮ ଜାନୁଆରୀ ମାସ ତୁଳନାରେ ଜୁଲାଇରେ ଏହି ହାର ୩ ପ୍ରତିଶତ କମିଛି । ସେହିପରି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଏକଦା ଆୱାର୍ଡ ପାଇଥିବା ନବୀନ ଏବେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅଷ୍ଟମ ସ୍ଥାନକୁ ଖସିଯାଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉଭୟ ୧୦ ପ୍ରତିଶତ ଭୋଟ୍ ସହ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି । ୟୁପିର ଯୋଗୀ ଆଦିତ୍ୟନାଥ ୯ ପ୍ରତିଶତ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ  ନାଇଡୁ ୭ ପ୍ରତିଶତ, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ୫ ପ୍ରତିଶତ, ମଧ୍ୟପ୍ରଦେଶ ଶିବରାଜ ସିଂହ ଚୌହାନ ୫ ପ୍ରତିଶତ ଭୋଟ ପାଇ ଶ୍ରେଷ୍ଠ ତାଲିକାର ପ୍ରଥମରୁ ଚତୁର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି । ତେବେ ପଞ୍ଚମ ସ୍ଥାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖରରାଓ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ପ୍ରତିଶତ ଲେଖାଁଏ ପାଇଛନ୍ତି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀ ୩ ପ୍ରତିଶତ ଲେଖାଁଏ ଭୋଟ ପାଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର, ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସପକ୍ଷରେ ୨ ପ୍ରତିଶତ  ଲେଖାଁଏ ସମର୍ଥନ ମିଳିଛି ।

କେବଳ ସେତିକି ନୁହେଁ ସର୍ଭେ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ୪୯ ପ୍ରତିଶତ ଲୋକ ମତ ଦେଇଥିବାବେଳେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ୨୭ ପ୍ରତିଶତ , ମମତା ବାନାର୍ଜୀ ନିମନ୍ତେ ୩ ପ୍ରତିଶତ ଓ ଅରୁଣ ଜେଟଲୀଙ୍କ ସପକ୍ଷରେ ୨ ପ୍ରତିଶତ ଭୋଟ ମିଳିଛି ।

ତେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସପି ସୁପ୍ରିମୋ ମାୟାବତୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମାତ୍ର ୧ ପ୍ରତିଶତ ଲେଖାଏଁ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ମନେ କରିଛନ୍ତି ।

LEAVE A REPLY

Please enter your comment!
Please enter your name here